ସଙ୍ଗରୋଧ ଗୃହ ଉଦ୍ୟାନ ସଫାକରି ଉଦାହରଣ ସୃଷ୍ଟି କଲେ ସୁରଟ ଫେରନ୍ତା

ଧରାକୋଟ,୯ା୫(ଡି.ଏନ.ଏ.)- ଧରାକୋଟସ୍ଥିତ କୃଷ୍ଣସିଂହ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀରାଜ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୭୭ ଜଣ ସୁରଟ ଫେରନ୍ତା ରହୁଛନ୍ତି। ବିଭିନ୍ନ କେନ୍ଦ୍ରରେ ଗଣ୍ଡଗୋଳ ଓ ନିୟମ ଉଲ୍ଲଂଘନ ନେଇ ପ୍ରବାସୀ ଓଡ଼ିଆ ନିନ୍ଦିତ ହେଉଥିବାବେଳେ ଏଠାରେ ଥିବା ଲୋକେ ଉଦାହରଣ ସୃଷ୍ଟି କରିଛନ୍ତି। ଦୈନିକ ଏଠାରେ ଜାତୀୟ ସଙ୍ଗୀତ ପରିବେଷଣ ସହ ଯୋଗ ପ୍ରାଣାୟମ ଓ ଖବରକାଗଜ ପଢୁଛନ୍ତି। ଏଥିସହ ସ୍କୁଲ ଭିତରେ ଥିବା ଉଦ୍ୟାନର ସଫେଇ କରିବା ସହ ଗଛର ଯତ୍ନ ନେଉଛନ୍ତି। ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ମଧ୍ୟ କରୁଛନ୍ତି। ସ୍ବେଚ୍ଛାସେବୀ ବାପୁନି ସ୍ବାଇଁ ଏବଂ ଯୋଗାଣ ସହାୟକ ଗୋପାଳ ହରି ଗୌଡ଼ ଓ ସ୍କୁଲର କର୍ମଚାରୀ ଖାଦ୍ୟପେୟ ପ୍ରଦାନ ସହ ଆନୁଷଙ୍ଗିକ ବ୍ୟବସ୍ଥା କରୁଛନ୍ତି।
ଧରାକୋଟ ବ୍ଲକରେ ପ୍ରାୟ ୨୨ ଶହରୁ ଊର୍ଦ୍ଧ୍ୱ ସୁରଟ ଫେରନ୍ତା ବିଭିନ୍ନ କ୍ବାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଯୋଗୁ ପ୍ରଶାସନର ମୁଣ୍ଡବ୍ୟଥା ବଢୁଛି। ସ୍ଥାନୀୟ ସରପଞ୍ଚ ଅଞ୍ଜଳି ସ୍ବାଇଁ ଜିଲାପାଳ କ୍ଷମତାର ଉପଯୋଗ କରି ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ସରପଞ୍ଚ ପ୍ରତିନିଧି ଦିଲିପ କୁମାର ସ୍ବାଇଁ ମଧ୍ୟ ଜଣେ ସ୍ବେଚ୍ଛାସେବୀ ପରି କାମରେ ଲାଗିଛନ୍ତି।