ସଙ୍ଗରୋଧ ଗୃହରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୩୨ ପ୍ରବାସୀ

ଭଦ୍ରକ ଅଫିସ, ୨୭।୫: ଭଦ୍ରକ ଜିଲା ଭଣ୍ଡାରିପେଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତ ଭଗିବିନ୍ଧା ସଙ୍ଗରୋଧ କେନ୍ଦ୍ରରେ ମଙ୍ଗଳବାର ସନ୍ଧ୍ୟାରେ ଗ୍ୟାସଟାଙ୍କି ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ରୋଷେୟା ଆହତ ହୋଇଥିବା ବେଳେ ୩୨ ପ୍ରବାସୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟାରେ କ୍ୱାରାଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ପାଇଁ ରୋଷେଇ ଚାଲିଥିଲା। ଏହି ସମୟରେ ଗ୍ୟାସ ଲିକ୍‌ ଯୋଗୁ ନିଆଁ ଲାଗି ଟାଙ୍କି ଫାଟିଯାଇଥିଲା। ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ୪ଟି ଗ୍ୟାସଟାଙ୍କି ସହ ରୋଷେଇ ପାଇଁ ଥିବା ରାଶନ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବାପତ୍ର ଜଳିଯାଇଛି। ଖବର ପାଇ ଭଣ୍ଡାରିପେଖରୀରୁ ଦମକଳ ଗାଡିଆସି ନିଆଁକୁ ଆୟତ କରିଛି।