ସଙ୍ଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ଆକ୍ରମଣ

ପୋଲସରା,୩୧ା୫(ଡି.ଏନ.ଏ.)- ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ସମ୍ପର୍କୀୟ ମଦ ଦେବାକୁ ଯାଇଥିବାବେଳେ ଏହାକୁ ବିରୋଧ କରିବାରୁ କଳମ୍ବ ସରପଞ୍ଚଙ୍କୁ ଆକ୍ରମଣ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ପୋଲସରା ବ୍ଲକ କଳମ୍ବ ପଞ୍ଚାୟତ କଳମ୍ବ ନୋଡାଲ ୟୁପି ସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡିଆ ରହୁଛନ୍ତି। ରବିବାର ସନ୍ଧ୍ୟାରେ ୩ଜଣ ଯୁବକ ସଙ୍ଗରୋଧରେ ଥିବା ସମ୍ପର୍କୀୟଙ୍କୁ ମଦ ଦେବାକୁ ଯାଇଥିଲେ। ସେଠାରେ କୋଭିଡ୍‌ ଡ୍ୟୁଟିରେ ଥିବା ସାମାଜିକ କର୍ମୀ ଓ କଳମ୍ବ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଏହାକୁ ବିରୋଧ କରିଥିଲେ। ସମ୍ପୃକ୍ତ ୩ ଯୁବକ ସରପଞ୍ଚଙ୍କ ସହ ପାଟିତୁଣ୍ଡ କରିବା ସହ ଆକ୍ରମଣ କରିଥିଲେ। ଗ୍ରାମବାସୀ ଖବର ପାଇ ଅଭିଯୁକ୍ତଙ୍କୁ ଗିରଫ ଓ ମଦ ବନ୍ଦ ଦାବିରେ ଟାୟାର ଜାଳି କଳମ୍ବ-ପୋଲସରା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ପୋଲସରା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ମଦକୁ ନେଇ କଳମ୍ବ ପଞ୍ଚାୟତରେ ବାରମ୍ବାର ବିଶୃଙ୍ଖଳା ହେଉଛି, ପୋଲିସକୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ପୋଲସରା ତହସିଲଦାର ସୁକାନ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।