ସଙ୍ଗରୋଧ କେନ୍ଦ୍ରରେ ଭୀଷଣ ଅବ୍ୟବସ୍ଥା: ଭାଜପାର ଦାବିପତ୍ର

କଟକ ଅଫିସ,୨୭ା୫: କଟକ ଜିଲାରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସାଂଘାତିକ। ସେଠାରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ କରି ଭାଜପା ପକ୍ଷରୁ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବୁଧବାର ଦାବିପତ୍ର ଦିଆଯାଇଛି।
ଦଳର ଅଭିଯୋଗ ହେଉଛି, ଜିଲାରେ ୬୧୨ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୧ ହଜାରରୁ ଊର୍ଦ୍ଧ୍ୱ ଶଯ୍ୟା ବ୍ୟବସ୍ଥା ହୋଇଛି। ଜିଲାକୁ ଫେରିବା ପାଇଁ ୫୮,୩୧୫ ପ୍ରବାସୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୪ ତାରିଖ ସୁଦ୍ଧା ୧୩,୨୩୩ ଜଣ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୨୪ ଜଣଙ୍କର ୨୧ଦିନିଆ ସଙ୍ଗରୋଧ ଅବଧି ଶେଷ ହୋଇଛି। କିନ୍ତୁ ୧୪ ଦିନ ହେବା ପରେ ଅନେକଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ବାଧ୍ୟତାମୂଳକ ବିଦା କରିଦିଆଯାଉଛି। ସେମାନଙ୍କ କୋଭିଡ୍‌ ଟେଷ୍ଟ ମଧ୍ୟ ହେଉନାହିଁ। ଏହାଦ୍ୱାରା ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ନରସିଂହପୁରରେ ଏଭଳି ଘଟଣା ଦେଖାଦେଇଛି। ତେଣୁ ଭାଜପା ଦାବି କରିଛି ଯେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବାସୀଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ନ ଆସିବା ଯାଏ ସେମାନଙ୍କୁ ବିଦା କରା ନ ଯାଉ। ଘୋଷଣା ମୁତାବକ ୨ ହଜାର ଟଙ୍କା ଖର୍ଚ୍ଚ ଦିଆଯାଉ। ଯେଉଁମାନଙ୍କ ଗୃହ ସଙ୍ଗରୋଧ ବ୍ୟବସ୍ଥା ନାହିଁ, ସେମାନଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଉ। ଦାବିପତ୍ର ପ୍ରଦାନ ବେଳେ ଜିଲା ଭାଜପା ସଭାପତି ପ୍ରକାଶ ବେହେରା, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସମ୍ପାଦକ ଦିଲୀପ ମଲ୍ଲିକ, ଶାରଦା ପ୍ରଧାନ, ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜୟ ଦଳବେହେରା, ବ୍ରଜେନ୍ଦ୍ର ରାୟ, ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଯାଜ୍ଞସେନୀ ଉପସ୍ଥିତ ଥିଲେ।