ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ମୃତ୍ୟୁ

ବୌଦ୍ଧ,୯ା୭(ସ୍ବ.ପ୍ର.)-ବୌଦ୍ଧ ଜିଲା ବୌଦ୍ଧ ବ୍ଲକର ବଘିଆପଡା ଗୌଡଦେଇ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ ା
ପ୍ରକାଶ ଯେ, ବୌଦ୍ଧ ଟିକରପଡା ପଞ୍ଚାୟତ ଅଧୀନ ମେଣ୍ଡିମାଳ ଗ୍ରାମର ଜଣେ ୨୨ ବର୍ଷୀୟ ଯୁବକ ଗୁଜୁରାଟ ରାଜ୍ୟର ସୁରଟଠାରେ ଥିବା ଏକ ସୂତାକଳରେ କାମ କରୁଥିଲେ। କରୋନା ମହାମାରୀ ବ୍ୟାପିବାରୁ ସେ ଗତ ୬ ତାରିଖ ନିଜ ଗାଁ ମେଣ୍ଡିମାଳକୁ ଆସିଥିଲେ। କିନ୍ତୁ ତାଙ୍କୁ ଗାଁ ଭିତରକୁ ପୁରାଇ ଦିଆଯାଇ ନ ଥିଲା। ଫଳରେ ଶ୍ରମିକ ଜଣକ ଗାଁର ବିଦ୍ୟାଳୟରେ ଶୋଇଥିଲେ। ୭ ତାରିଖରେ ସରପଞ୍ଚଙ୍କ ସହାୟତାରେ ଗୌଡଦେଇ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଗୁରୁବାର ସକାଳେ ଏହି ପ୍ରବାସୀ ଶ୍ରମିକ ବାଥରୁମ୍‌ ଯାଇଥିବା ବେଳେ କୌଣସି କାରଣରୁ ସେଠାରେ ପଡି ଯାଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ କୋଭିଡ୍‌ କେୟାର ସେଣ୍ଟର ନିଆଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ା ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନ କହିଛନ୍ତି, ସୁରଟ ଫେରନ୍ତା ଶ୍ରମିକ ଜଣକ ଗତ ୭ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ା ତାଙ୍କର ମୃତ୍ୟୁ ହେବା ନେଇ ପୋଲିସକୁ ଜଣାଯାଇଛି ା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ। ତେବେ ଶ୍ରମିକଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ନ ଥିବା ଡା. ପ୍ରଧାନ ପ୍ରକାଶ କରିଛନ୍ତି।