ସଙ୍ଗରୋଧରୁ ଘରକୁ ଗଲେ ୩୬ ସଂଖ୍ୟାଲଘୁ

ଅନୁଗୋଳ ଅଫିସ, ୧୨।୪ – ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜ ଧର୍ମଗୁରୁମାନଙ୍କ ସଂସ୍ପର୍ଶରେ ଆସି କ୍ୱାରାଣ୍ଟାଇନ୍‌ ବା ସଙ୍ଗରୋଧରେ ଥିବା ଅନୁଗୋଳ ଜିଲାର ୩୬ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ସ୍ବାବ ଓ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନିଜ ଘରେ କ୍ବାରାଣ୍ଟାଇନ୍‌ରେ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମରକଜ୍‌ରୁ କେତେଜଣ ମହିଳା ଓ ପୁରୁଷ ଧର୍ମଗୁରୁ ଗତ ମାର୍ଚ୍ଚ ୧୫ରୁ ୨୦ ମଧ୍ୟରେ ଅନୁଗୋଳ, ନାଲ୍‌କୋ ଓ ତାଳଚେର ଅଞ୍ଚଳକୁ ଆସିଥିଲେ। ସେମାନେ କେତେଜଣଙ୍କ ଘରେ ରହିବା ସହ ସ୍ଥାନୀୟ ମସଜିଦ୍‌କୁ ମଧ୍ୟ ଯାଇଥିଲେ। ଏ ନେଇ ତନାଘନା ପରେ ପ୍ରଶାସନ ସନ୍ଦେହରେ ୩୬ ଜଣଙ୍କୁ କ୍ବାରାଣ୍ଟାଇନ୍‌ରେ ରଖିଥିଲା। ଶନିବାର ଅପରାହ୍ନରେ ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିଲେ ପ୍ରଶାସନ ପୁଣି ସେମାନଙ୍କୁ ଉଠାଇ ଆଣି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି। ଅପରପକ୍ଷରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଜିଲାବାସୀ ଆଶ୍ୱସ୍ତ ହୋଇଛନ୍ତି।