ସଙ୍କଟରେ ୫୦ବାଉଁଶ କାରିଗର ପରିବାରର ଜୀବନ ଜୀବିକା

ଲୋଇସିଂହା, ୭।୭(ଡି.ଏନ.ଏ.)  ପ୍ଲାଷ୍ଟିକର ବହୁଳ ବ୍ୟବହାରରେ ହଜି ଯାଉଛି ବାଉଁଶ ଶିଳ୍ପ। ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ମାହାରପାଲି ଗ୍ରାମର ମାହାରପଡାରେ ବାସ କରନ୍ତି ୫୦ ପରିବାର। ନିଜ କୌଳିକ ବୃତ୍ତିକୁ ଆଦରି ଦୀର୍ଘ ବର୍ଷ ହେଲା ବାଉଁଶରେ ଘରକରଣା ସାମଗ୍ର ତିଆରି କରି ସେମାନେ ବଜାରରେ ବିକ୍ରି କରିଥାନ୍ତି। ସେହି ରୋଜଗାରରେ ଘରର ଗୁଜୁରାଣ ମେଣ୍ଟେ। ତେବେ କିଛି ବର୍ଷ ହେଲା ଉକ୍ତ ପରିବାର ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ବାଉଁଶର ଅଭାବ, ଅନ୍ୟପକ୍ଷେ ସରକାରୀ ପ୍ରୋତ୍ସାହନ ନ ମିଳିବା ଉକ୍ତ ପରିବାରଗୁଡିକର ଜୀବନଜୀବିକାକୁ ସଙ୍କଟ ମଧ୍ୟକୁ ନେଇଯାଇଛି।
ଲୋଇସିଂହା ଅଞ୍ଚଳର ବିଭିନ୍ନ ଜଙ୍ଗଲରୁ ଦିନେ ବାଉଁଶ ମିଳିବା ମାହାରମାନଙ୍କ ପାଇଁ ସହଜ ଥିବାବେଳେ ଗତ କିିଛିବର୍ଷ ହେଲା ବାଉଁଶର ଘୋର ଅଭାବ ଦେଖାଦେଇଛି। ବର୍ତ୍ତମାନ ବହୁକଷ୍ଟରେ ବାଉଁଶ କିଣି ସେମାନେ ସାମଗ୍ରୀ ତିଆରି କରୁଛନ୍ତି। ପ୍ରଥମେ ବାଉଁଶକୁ ଚିରିି ପତା ତିଆରି କରିବା ପରେ ତାକୁ ଶୁଖାଇ ବିଭିନ୍ନ ପ୍ରକାର ଘରକରଣ ସାମଗ୍ରୀ ତିଆରି କରନ୍ତି। ପରେ ଆଖପାଖ ବଜାରରେ ସେଗୁଡିକୁ ବିକ୍ରି କରିଥାନ୍ତି। ପୁନଶ୍ଚ ଏବେ ଏହି ସବୁ ସାମଗ୍ରୀର ଚାହିଦା କମିଯାଇଥିବାରୁ ପୂର୍ବଭଳି ଲାଭ ମିଳୁ ନ ଥିବା ମାହାରପାଲି ଗ୍ରାମର ବାଉଁଶ କାରିଗର ସୁଦାମ ସାହାଣୀ କହିଛନ୍ତି। ତେବେ କମ୍‌ ଲାଭ ମିଳୁଥିଲେ ମଧ୍ୟ ଏହି କାରିଗର ପରିବାରର ସମସ୍ତ ସଦସ୍ୟ ବାଉଁଶ ସାମଗ୍ରୀ ତିଆରି କାମରେ ନିଜକୁ ସାମିଲ କରିଥାନ୍ତି। ଅନ୍ୟ ଜଣେ କାରିଗର ଶୁକ ମାହାର କହିଛନ୍ତି ଯେ, ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ମଧ୍ୟରେ ହଜିଯିବାରେ ଲାଗିଛି ବାଉଁଶ ନିର୍ମିତ ଘରକରଣା ସାମଗ୍ରୀ। ଆଜି ବି ବିବାହ, ବ୍ରତ ଭଳି ମାଙ୍ଗଳିକ କାମରେ ବାଉଁଶ ତିଆରି ସାମଗ୍ରୀର ଚାହିଦା ରହିଛି। ହେଲେ ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ସେମାନଙ୍କୁ ହତାଶ ହେବାକୁ ପଡୁଛି। ଯୁବପିଢୀ ଏହି ବୃତ୍ତିକୁ ଆପଣାଇବାକୁ ପସନ୍ଦ କରୁ ନାହାନ୍ତି। ବାଉଁଶ ଜଙ୍ଗଲର ବୃଦ୍ଧି ସହିତ କାରିଗରମାନଙ୍କୁ ସ୍ବାବଲମ୍ବୀ କରିବା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଜଙ୍ଗଲ ବିଭାଗ ଅଧୀନରେ ଓଡିଶା ବାଉଁଶ ମିଶନ ଗଠିତ ହୋଇଛି। ତେବେ ମାହାରମାନଙ୍କ ଦୁର୍ଦ୍ଦଶାକୁ ନିରୀକ୍ଷଣ କଲେ ଓଡିଶା ବାଉଁଶ ମିଶନ ଫେଲ ମାରିଥିବା ସ୍ପଷ୍ଟ ବାରି ହେଉଛି। ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ନୂଆପଡାକୁ ନେଇ ଗଠିତ ଭବାନୀପାଟଣା ଡିଭିଜନ ପକ୍ଷରୁ କାଁଭାଁ କେଉଁଠି ବାଉଁଶ କାରିଗରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।  ଅତ୍ୟାଧୁନିକ ସାମଗ୍ରୀ ପାଇଁ କାରୀଗରଙ୍କୁ ତାଲିମ ଦେବା ସହ ସ୍ବତନ୍ତ୍ର ଭତ୍ତା ଯୋଜନାରେ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି।