ସଙ୍କଟରେ ଚାନ୍ଦୁଆ ଶିଳ୍ପ

ପିପିଲି, ୨୧ା୪: କରୋନା ଯୋଗୁ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହିଁ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ। ଫନୀ ବାତ୍ୟା ପରେ କଷ୍ଟେମଷ୍ଟେ ଅଣ୍ଟା ସଳଖି ଆସୁଥିବା ଚାନ୍ଦୁଆ କାରିଗରଙ୍କ ସମେତ ବ୍ୟବସାୟୀମାନେ ଏବେ କରୋନା ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଫନୀରେ ହଜାର ହଜାର ଚାନ୍ଦୁଆ କାରିଗର କ୍ଷତିଗ୍ରସ୍ତ ହୋଇଥିଲେ। ଏପର୍ଯ୍ୟନ୍ତ ସମସ୍ତେ ସରକାରୀ ସହାୟତା ପାଇପାରିନାହାନ୍ତି। ଏପରି ସ୍ଥଳେ ବେଡ଼ି ଉପରେ କରଡ଼ା ସଦୃଶ ସେମାନଙ୍କ ଦୁଃଖଦୁର୍ଦ୍ଦଶା ବଢାଇ ଦେଇଛି କରୋନା।
ପିପିଲି ଅଞ୍ଚଳର ଶତାଧିକ କାରିଗର ଓ ବ୍ୟବସାୟୀ ଚାନ୍ଦୁଆ ତିଆରି ସହ ବିକ୍ରି କରି ପରିବାର ପ୍ରତିପୋଷଣ କରନ୍ତି। ପିପିଲି ସମେତ ଆଖପାଖ ଅଞ୍ଚଳରୁ ଶତାଧିକ କାରିଗର ଚାନ୍ଦୁଆ କାମ ପାଇଁ ପ୍ରତିଦିନ ଏଠାକୁ ଆସିଥାନ୍ତି। ସେମାନଙ୍କ ହାତ ତିଆରି ସୁଦୃଶ୍ୟ ଚାନ୍ଦୁଆକୁ କିଣି ନିଅନ୍ତି ପୁରୀ, ପିପିଲି, କୋଣାର୍କ ଆଦି ଅଞ୍ଚଳକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ। ସେହିପରି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଲୋକେ ଚାନ୍ଦୁଆ କିଣିବାକୁ ଆସିଥାନ୍ତି। ମାତ୍ର ଗତ ମାର୍ଚ୍ଚ ୧୫ତାରିଖଠାରୁ କରୋନା ପାଇଁ ଲକ୍‌ଡାଉନ ଯୋଗୁ ଦୋକାନ ବଜାର ଓ ଚାନ୍ଦୁଆ କାମ ବନ୍ଦ ରହିଛି। ଫଳରେ ହାତବାନ୍ଧି ଘରେ ବସିଛନ୍ତି କାରଗର ଓ ବ୍ୟବସାୟୀ। ସଞ୍ଚିତ ଅର୍ଥ ଧିରେ ଧିରେ ସରିଆସୁଥିବାରୁ ପେଟପାଟଣା ନେଇ ଚିନ୍ତା ବଢିଗଲାଣି। ବୃତ୍ତିକୁ ଜାବୋଡ଼ି ଧରିବେ ନା ଅନ୍ୟ କିଛି ପନ୍ଥା ଆପଣେଇବେ ସେଇ କଥା ସେମାନେ ଭାଳି ହେଉଛନ୍ତି।