ସକାଳ ହେଲେ ପରିବାର ମୁହଁରେ ଆହାର ଦେବାକୁ ଚିନ୍ତା

ସମ୍ବଲପୁର,୩୧।୩(ବ୍ୟୁରୋ)-କରୋନା ଭୂତାଣୁ ଭୟ ସମସ୍ତଙ୍କ ଭିତରେ ଭୟ ସୃଷ୍ଟି କରିଛି। କରୋନା କଟକଣା ଶ୍ରମିକ, ଛୋଟ ଚା, ପାନ, ଜଳଖିଆ ଦୋକାନୀଙ୍କୁ କଷଣ ଦେଇଛି । ସେମାନଙ୍କ ଜୀବନ ଦୁଃଖରେ ବିତୁଛି । ତେବେ ସମ୍ବଲପୁର ରେଳ ଷ୍ଟେଶନ, ବସଷ୍ଟାଣ୍ଡ, ଧାର୍ମିକ ଅନୁଷ୍ଠାନ ସମ୍ମୁଖରେ ଅବସ୍ଥାନ କରିଥିବା ଭିକ୍ଷୁକ ଓ ଗରିବଙ୍କୁ ବିଭିନ୍ନ ସାମାଜିକ କର୍ମୀ, ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ଓ ଜଳଖିଆ ପ୍ରଦାନ କରାଯାଉଛି । କିନ୍ତୁ ସହରରେ ଥିବା ଛୋଟ ଛୋଟ ଚା ଦୋକାନୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍‌ ଡାଉନ ଯୋଗୁ ସେମାନଙ୍କ ବ୍ୟବସାୟ ବନ୍ଦ ରହିଛି । ଫଳରେ ପରିବାର ପ୍ରତିପୋଷଣ କରିବା ଅସମ୍ଭାଳ ହୋଇପଡିଛି। ରାତି ପାହିଲେ ପରିବାର ଲୋକଙ୍କ ମୁହଁରେ କିଭଳି ଆହର ଯୋଗାଇବେ ତାହା ସେମାନଙ୍କୁ ପ୍ରତିଦିନ ଚିନ୍ତାରେ ପକାଉଛି। ମନ ମରି ଯାଉଛି। ହେଲେ ଏ ବିପଦ ସମୟରେ ସମସ୍ତେ ସରକାରୀ ନିୟମକୁ ସମ୍ମାନ ଦେଉଛନ୍ତି। କେବେ କଟକଣା ଉଠିବ ତାହାକୁ ନେଇ ସମସ୍ତେ ବ୍ୟଗ୍ର।