ସକାଳ ଜଳଖିଆରେ କ’ଣ ତିଆରି କରିବେ ଭାବୁଛନ୍ତି କି

ନିତିଦିଆ ଜୀବନରେ ଜଳଖିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଘରର ସମସ୍ତ ଲୋକଙ୍କ ମନପସନ୍ଦର ଖାଦ୍ୟ ତିଆରି କରିବା ଭିତରେ ପ୍ରତିଦିନ କ’ଣ ତିଆରି କରିବେ ଆପଣ ଦ୍ୱନ୍ଦରେ ପଡ଼ିଯାଉଥିବେ। ହେଲେ ଆମେ ଆପଣଙ୍କୁ ଏକ ସ୍ବାଦିଷ୍ଟ ଏବଂ ଶୀଘ୍ର ପ୍ରସ୍ତୃତ ହୋଇପାରୁଥିବା ଖାଦ୍ୟ ବିଷୟରେ ଜଣାଇବୁ। ସାଧା ବ୍ରେଡ ଖାଇବାକୁ କାହାକୁ ବି ପସନ୍ଦ ହୋଇ ନ ଥାଏ। ତେବେ ଆମେ ଏହାକୁ ସେକିକି ବା ଟୋଷ୍ଟ କରି ଖାଇଥାଉ। କିନ୍ତୁ ଅନେକଙ୍କୁ ଏହା ପସନ୍ଦ ବି ଆସି ନ ଥାଏ। ସକାଳ ଜଳଖିଆ ପାଇଁ ବ୍ରେଡ ଏକ ଭଲ ଖାଦ୍ୟ। କାରଣ ଏଥିରେ ବେଶି ତେଲ ମସଲା ବ୍ୟବହାର ହେଉ ନ ଥିବାରୁ ଏହାକୁ ଖାଇବାରେ କୌଣସି ସମସ୍ୟା ହୋଇ ନ ଥାଏ। ତେଣୁ ସକାଳ ଜଳଖିଆ ପାଇଁ ଆପଣ ବ୍ରେଡ ମସାଲା ଟୋଷ୍ଟ ତିଆରି କରି ପାରିବେ। ଯାହା ଟେଷ୍ଟି ହେବା ସହ ସ୍ବାସ୍ଥ୍ୟକର ଏବଂ କମ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରଣାଳୀ ବିଷୟରେ।
ସାମଗ୍ରୀ: ବ୍ରେଡ, ସିଝା ଆଳୁ (ଅଧା ଚକଟା ହୋଇଥିବା), ଧନିଆ ପତ୍ର, ଲେମ୍ବୁ, ପିଆଜ, ଟମାଟୋ, କ୍ୟାପ୍ସିକମ, ପାଓଭାଜି ମସଲା, ଲଙ୍କା ଗୁଣ୍ଡ, ବଟର୍‌ ଓ ସ୍ବାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ସିଝା ଆଳୁ (ଅଧା ଚକଟା ହୋଇଥିବା), କଟା ଧନିଆ ପତ୍ର, ପିଆଜ,ଲେମ୍ବୁ ରସ, କଟା କ୍ୟାପ୍ସିକମ, ଲଙ୍କା ଗୁଣ୍ଡ, ପାଓଭାଜି ମସଲା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଶେଷରେ ଲୁଣ ପକାଇ ଆଉଥରେ ଗୋଳାଇ ଦିଅନ୍ତୁ। ଏବେ ଆପଣଙ୍କର ବ୍ରେଡ ସମଲା ପ୍ରସ୍ତୁତ ହୋଇଗଲା। ଏହାପରେ ବ୍ରେଡ ଉପରେ ପୂର୍ବରୁ ପ୍ରସ୍ତୁତ କରିଥିବା ମସଲା ରଖନ୍ତୁ। ମନେ ରଖନ୍ତୁ ବ୍ରେଡର ସବୁଆଡେ ମସଲା ଲାଗିବା ଜରୁରୀ। ଏହାପରେ ଗ୍ୟାସ୍‌ରେ ତାୱା ବସାଇ ସେଥିରେ ବଟର୍‌ ପକାନ୍ତୁ। ତେବେ କିଛି ସମୟ ଭାଜିଲା ପରେ ଆଳୁ ମସଲା ଦେଇଥିବା ପଟକୁ ମଧ୍ୟ ଓଲଟାଇ ଆଉ କିଛି ସମୟ ଭାଜନ୍ତୁ। ଆପଣ ଚାହିଁଲେ ଏଥିରେ ଚିଜ ବି ପକାଇ ପାରିବେ। ତେବେ ଅଳ୍ପ ସମୟ ଭିତରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ବାସିଷ୍ଟ ବ୍ରେଡ ମସାଲା ଟୋଷ୍ଟ।