ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ପ୍ରତିଭା ତଥା ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନରେ ସମ୍ମାନିତ କରାଯାଇଛି। ଗତ ୨୦ ଓ ୨୧ ତାରିଖରେ ଦିଲ୍ଲୀସ୍ଥିତ କନ୍‌ଷ୍ଟିଚ୍ୟୁସନ କ୍ଲବ ଅଫ୍‌ ଇଣ୍ଡିଆ ସଭାଗୃହରେ ଅନୁଷ୍ଠିତ ୬ଷ୍ଠ ଅନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ଓଡ଼ିଆ ବୁଦ୍ଧିଜୀବୀ ଫୋରମ ଦ୍ୱାରା ଆୟୋଜିତ ମହାକୁମ୍ଭ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ସଂଗ୍ରାମ ଦୀର୍ଘଦିନ ଧରି ଓଡ଼ିଆ ଉଇକିପିଡିଆରେ ନିୟମିତ ପ୍ରସଙ୍ଗ ଲେଖିବା ସହ ଓଡ଼ିଆ ଲେଖକ ଲେଖିକାଙ୍କ ଗପ, କବିତା ଆଦିକୁ ସର୍ବଜନବିଦିତ କରାଇବା ପାଇଁ ଶୁଭପଲ୍ଲବ ନାମକ ଇ-ପତ୍ରିକା ତଥା ୱେବ୍‌ ପୋର୍ଟାଲ ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ୱେବସାଇଟ୍‌ ତଥା ସୋସିଆଲ ମିଡିଆରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ସେ ସମ୍ମାନିତ ହୋଇଛନ୍ତି। ସଭାର ୨ୟ ଦିବସରେ ଆୟୋଜିତ ଆଲୋଚନାଚକ୍ରରେ ସେ ଓଡ଼ିଆ ପୋଥି ତଥା ଦସ୍ତାବିଜ୍‌କୁ ଡିଜିଟାଇଜ୍‌ କରିବା କ୍ଷେତ୍ରରେ ରହିଥିବା ଅସୁବିଧା ଉପରେ ଆଲୋଚନା କରିଥିଲେ। ଏଥିସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସଫ୍ଟୱେରକୁ ଓପନ୍‌ ସୋର୍ସ ଭାବେ ଉପଲବ୍ଧ କରାଇବାର ପ୍ରସ୍ତାବ ରଖିଥିଲେ। ସଙ୍ଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏନ୍‌ଆଇସି, ସିଡାକ୍‌, ଡିଜିଟ୍‌, ଜେଏନୟୁ, ଓଡ଼ିଆ ରେଡିଓ, ଓଡ଼ିଶା ଡାଏରୀ ସମେତ ଅନେକ ସଙ୍ଗଠନର ଅଧିକାରୀ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ସମ୍ପାଦକ ଶ୍ୟାମାନୁଜ ଦାସ ପରିଚାଳନା କରିଥିଲେ।