ସଂକ୍ରମଣ ଭୟ ନାହିଁ, କାମରେ ବ୍ୟସ୍ତ ପୌର କର୍ମଚାରୀ

ଖୋର୍ଦ୍ଧା ଅଫିସ,୬ା୪: ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ସକାଳ ପରିବା ବଜାର ଗହଳିକୁ ବାଦ ଦେଲେ ଅନ୍ୟ ସମୟରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଖାଁ ଖାଁ। ସଂକ୍ରମଣକୁ ନେଇ ଚାରିଆଡ଼େ ଲୋକଙ୍କ ମନରେ ଭୟର ବାତାବରଣ ରହିଛି। ଏହି ସମୟରେ ପୌର ପରିଷଦ ଅଧୀନ ସଫେଇ କର୍ମଚାରୀମାନେ ନିଜ କର୍ତ୍ତବ୍ୟରେ ଟିକେ ବି ଅବହେଳା ନ କରି ଦିନରାତି ନିଜ କାର୍ଯ୍ୟ କରିଚାଲିଛନ୍ତି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କୁହନ୍ତି, କରୋନା ମୁକାବିଲା ଲାଗି ୧୭୪ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସକାଳ ସମୟରେ ସାହି ଗଳିକନ୍ଦି ଅଳିଆ ଉଠାଇବା, ଜନଗହଳି ସ୍ଥାନରେ ବ୍ଳିଚିଂ, ଅସ୍ଥାୟୀ ପରିବା ହାଟରେ ପରିମଳ, ସହରର ସ୍ବଚ୍ଛତା, ଅସହାୟ, ଗରିବ, ନିରାଶ୍ରୟଙ୍କୁ ଖାଦ୍ୟ ପ୍ରଦାନ, ସହରକୁ ସାନିଟାଇଜର, ସନ୍ଧ୍ୟାରେ ମେଶିନ ଦ୍ୱାରା ଧୂଆଁ ସ୍ପ୍ରେ ଆଦି କାର୍ଯ୍ୟରେ ଲାଗିଛନ୍ତି। କରୋନା ଭୂତାଣୁ ନେଇ ସାରା ବିଶ୍ୱରେ ଏକ ଘଡ଼ି ସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି। କୌଣସି କାମ ନ ଥିଲେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଜନସାଧାରଣ ଘରେ ପରିବାର ସହ ସମୟ ବିତାଉଥିବାବେଳେ ଅନ୍ୟପଟେ ପୌର କର୍ମଚାରୀମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି। ଏ ନେଇ ଜଣେ ମହିଳା କର୍ମଚାରୀ କୁହନ୍ତି ବର୍ତ୍ତମାନ ସାରା ବିଶ୍ୱ କୋଭିଡ-୧୯ ଭୂତାଣୁ ଆତଙ୍କରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଣୁ ଆମକୁ କାମ କରିବାକୁ ପଡ଼ିବ। ପୂର୍ବରୁ ଫାଇଲିନରେ କାମ କରୁଥିଲୁ। ଏବେ ଏହି କାମରେ ଲାଗିଥିବାରୁ ମୁ ନିଜକୁ ଗର୍ବ ଅନୁଭବ କରୁଛି।