ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ ପରିବହନ ହେଉଥିବାରୁ ଅଞ୍ଚଳରେ ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଗ୍ରାମବାସୀ କ୍ରୋମାଇଟ ପରିବହନକୁ ସୋମବାର ବନ୍ଦ କରି ଦେଇଥିବା ଜଣାପଡ଼ିଛି। ଲକଡାଉନ ପରେ ବି ପରିବହନ ବଳବତ୍ତର ରହିଥିବାବେଳେ ସୋମବାର କାଳିଆପାଣି ପଞ୍ଚାୟତସ୍ଥିତ ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ଫାଟକ ସମ୍ମୁଖରେ କାଳିଆପାଣି ସରପଞ୍ଚଙ୍କ ସମେତ ଗ୍ରାମବାସୀମାନେ କ୍ରୋମାଇଟ ପରିବହନ ବନ୍ଦ କରିବା ପାଇଁ ଧାରଣାରେ ଦେଇଥିଲେ। କ୍ରୋମାଇଟ ଲୋଡିଂ ପାଇଁ ଆସିଥିବା ଟ୍ରକଗୁଡ଼ିକ ଲୋଡିଂ ପାଇଁ ଯାଇପାରି ନ ଥିଲେ। ଖବରପାଇ ଖଣି ନିଗମ ଦକ୍ଷିଣ କାଳିଆପାଣି ଖଣି ପରିଚାଳକ କାଠି ପ୍ରଧାନ ଓ ଥାନା ଏସଆଇ ବିଭୁତି ମହାପାତ୍ର ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାରତ ଲୋକଙ୍କ ସହ ଆଲୋଚନା କରିଥିଲେ। ତେବେ କାଳିଆପାଣି ସରପଞ୍ଚ କଳ୍ପନା ଜେନା ବାହାର ଅଞ୍ଚଳରୁ ଆସୁଥିବା ଟ୍ରକ ଡ୍ରାଇଭରଙ୍କ ଦ୍ୱାରା ଏହି ଅଞ୍ଚଳରେ କରୋନା ସଂକ୍ରମଣ ହୋଇପାରେ ବୋଲି ମତ ରଖିଥିଲେ। ତେଣୁ କିଛିଦିନ ପଯର୍‌ୟନ୍ତ ପରିବହନ ନ କରିବାକୁ ଅନୁରୋଧ ରଖିଥିଲେ। ଏନେଇ ପରିଚାଳକ କାଠି ପ୍ରଧାନ ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ କିଛିଦିନ ପଯର୍‌ୟନ୍ତ ପରିବହନ ବନ୍ଦ ରଖିବାକୁ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ସେପରି କଂସ ପଞ୍ଚାୟତ ଓସ୍ତପାଳ ଫେକର ଖଣି ଫାଟକ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଖଣିରୁ ପରିବହନ କାର୍ଯ୍ୟ ବନ୍ଦ ଦାବିରେ ଧାରଣାରେ ବସିଥିଲେ। କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲି ଓ ଖଣି ପରିଚାଳକ ଅଜୟ କୁମାର ପାତ୍ର ଆନ୍ଦୋଳନରତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚତ୍ ଆଲୋଚନା କରି ପରିବହନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।