ସଂକ୍ରମଣ ବ୍ୟାପିଲେ ସମ୍ଭାଳି ହେବନାହିଁ: ଏଥିଲାଗି ଜନତା କର୍ଫ୍ୟୁ ଗୋଟିଏ ଦିନ, ଲକ୍‌ଡାଉନ୍‌ ସାତ ଦିନ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ଜନତା କର୍ଫ୍ୟୁ’ ପାଇଁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରବିବାରଠାରୁ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି। ଉଭୟଙ୍କ ମଧ୍ୟରେ ତଫାତ ରହିଛି। ଜନତା କର୍ଫ୍ୟୁ ଗୋଟିଏ ଦିନ ପାଇଁ ଚାଲିବାକୁ ଥିବା ବେଳେ ଲକ୍‌ଡାଉନ୍‌ ସାତ ଦିନ ପାଇଁ ରହିବ। ଜନତା କର୍ଫ୍ୟୁ ସମୟରେ ଟ୍ରେନ୍‌, ବିମାନସେବା ଆଦି ଚାଲିବ ନାହିଁ। ହେଲେ ଲକ୍‌ଡାଉନ୍‌ରେ ଏଗୁଡ଼ିକ ଚାଲିବ। ୪.୫ କୋଟି ଓଡ଼ିଆଙ୍କ ସୁରକ୍ଷା ସରକାରଙ୍କର ସବୁଠୁ ବଡ଼ ଦାୟିତ୍ୱ। ଆମେ ବଞ୍ଚିଲେ ସ୍ଥିରତା ଆସିବ। ଲକ୍‌ଡାଉନ୍‌ ସମୟରେ ଜନଜୀବନରେ ଅସୁବିଧା ହେବ। ହେଲେ ନିଜକୁ, ପରିବାରକୁ ଜାତିକୁ ବଞ୍ଚାଇବା ଲାଗି ଏହା ଆଜିର ନାଗରିକଙ୍କ ଦାୟିତ୍ୱ। ଆଖପାଖକୁ ଚାହିଁବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ମହାମାରୀରୁ ମୁକ୍ତି ପାଇହେବ।

ଏହି ସମୟରେ କୌଣସି ବ୍ୟକ୍ତିର ଦରମା କାଟିବେ ନାହିଁ ବୋଲି ସମସ୍ତ ବେସରକାରୀ ସଂସ୍ଥାମାନଙ୍କୁ ସରକାର ଜଣାଇଛନ୍ତି। ମଜୁରୀରେ କାମ କରୁଥିବା ସମସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଇବା ଉଚିତ। ଦେଖିବାକୁ ଗଲେ ଏବେ ଭଗବାନ ପରୀକ୍ଷା ନେଉଛନ୍ତି ବୋଲି ପୁଣ୍ୟ କରିବାର ସମୟ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।
କାଲିଫର୍ଣ୍ଣିଆ ହେଉଛିି ବିଶ୍ୱର ସବୁଠାରୁ ଧନୀ ରାଜ୍ୟ। ସେଠାକାର ଜନସଂଖ୍ୟା ୪ କୋଟି। ଏବେ ସମ୍ପୂର୍ଣ୍ଣ ୪ କୋଟି ଲୋକ ଲକ୍‌ଡାଉନ୍‌ରେ ଅଛନ୍ତି। କାରଣ ସଂକ୍ରମଣ ହେଲେ କୌଣସି ସରକାରୀ ବ୍ୟବସ୍ଥା ସମ୍ଭାଳିପାରିବେ ନାହିଁ। ଏଣୁ ସରକାରଙ୍କୁ କରୋନା ମୁକାବିଲା କରିବା ଦିଗରେ ସହଯୋଗ କରନ୍ତୁ ବୋଲି ସେ ମଧ୍ୟ କହିଛନ୍ତି।