ସଂକ୍ରମଣର ଭୟ ଥିବାରୁ ନିର୍ମାଣ ହେଉଛି ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ: ଏବେସୁଦ୍ଧା ୨୪ଟି କାର୍ଯ୍ୟକ୍ଷମ, ୧୧ଟିର ନିର୍ମାଣ ଚାଲିଛି

ଭୁବନେଶ୍ୱର,୧୬।୪(ବ୍ୟୁରୋ): କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ତଥା ଜିଲା ସ୍ତରରେ ୩୫ଟି କୋଭିଡ୍‌ ଡାକ୍ତରଖାନା ପ୍ରତିଷ୍ଠା ହେବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନସୁଦ୍ଧା ସେଥିରୁ ୨୪ଟି ଅପରେଶନାଲ୍‌(କାର୍ଯ୍ୟକ୍ଷମ) ହୋଇଥିବା ବେଳେ ୧୧ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୧ ଜିଲାରେ ନିର୍ମିତ ହୋଇଥିବା କାର୍ଯ୍ୟକ୍ଷମ ହସ୍ପିଟାଲରେ ୩୯୫୧ଟି ଶଯ୍ୟା ପ୍ରସ୍ତୁତ ରହିଛି। ସେଥିରେ ୨୯୩ଟି ଆଇସିୟୁ ବେଡ୍‌ ରହିଛି। ସେହିଭଳି ୧୧ଟି ଜିଲାରେ ୧୧ଟି ହସ୍ପିଟାଲ ନିର୍ମାଣ ହେବାକୁ ଯାଉଛି। ଏହି ହସ୍ପିଟାଲଗୁଡ଼ିକରେ ୧୮୭୦ ଶଯ୍ୟା ରହିବ। ସେଥିରୁ ୭୩ଟି ଆଇସିୟୁ ବେଡ୍‌ ରହିବ। ଏହାଦ୍ୱାରା ପ୍ରତି ଜିଲାରେ ରୋଗୀ ଚିହ୍ନଟ ହେବା ପରେ ଉକ୍ତ ଜିଲାରେ ହିଁ ତାଙ୍କର ଚିକିତ୍ସା କରାଯିବ। ୩/୪ ଭିତରେ ଅବଶିଷ୍ଟ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ। ତେବେ ଏଥିପାଇଁ ସରକାରୀ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ସ୍ବତନ୍ତ୍ର କୋଭିଡ-୧୯ ଡାକ୍ତରଖାନା ନିର୍ମାଣ କରାଯାଉଛି।

ରାଜ୍ୟରେ ଏକାଧିକ ବଡ ଡାକ୍ତରଖାନା ଥିଲେ ହେଁ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ସ୍ବତନ୍ତ୍ର କୋଭିଡ-୧୯ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ନିର୍ମାଣ କରାଯାଉଛି। ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, କଟକ, ଡୁବୁରୀ, କନ୍ଧମାଳ, ଯୋଡା, ଭୁବନେଶ୍ୱର, ପୁରୀ, ରାଉରକେଲା, ଦେଓଗଡ଼, ଗଜପତି, ଗଞ୍ଜାମ, କୋରାପୁଟର ଜୟପୁର, ମାଲାକାନଗିରି, ରାୟଗଡ଼ା କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜ ଜିଲାର ବାରିପଦାଠାରେ ଡାକ୍ତରଖାନା ନିର୍ମାଣକାର୍ଯ୍ୟ ଶେଷ ହେବା ସହ ସ୍ବାସ୍ଥ୍ୟ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି। ସେହିଭଳି ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, କେଉଁଝର, ତାଳଚେର, ପାରାଦୀପ, କଳାହାଣ୍ଡି, ନବରଙ୍ଗପୁର, ନୟାଗଡ଼, ବରଗଡ଼, ଅନୁଗୋଳ ଆଦି ୧୧ଟି ସ୍ଥାନରେ କୋଭିଡ ହସ୍ପିଟାଲ ନିର୍ମାଣାଧିନ ରହିଛି। ଆସନ୍ତା ୨୦ ତାରିଖ ମଧ୍ୟରେ ସେଗୁଡ଼ିକ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖାଯାଇଛି।