ଷ୍ଟ୍ରେଚରରେ ନଦୀପାର ହେଲେ ଗର୍ଭବତୀ

ମୁନିଗୁଡା,୩୧ା୮(ଡ଼ି.ଏନ.ଏ): ଗାଁକୁ ରାସ୍ତା ନାହିଁ। ଅଧାବାଟରେ ଅଟକିଲା ଆସି ଆମ୍ବୁଲାନ୍ସ। ତେଣୁ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ। ପରେ ଆମ୍ବୁଲାନ୍ସରେ ତାଙ୍କୁ ଆମ୍ବାଦୋଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି। ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଡାଘାଟି ଗ୍ରାମରେ ।
ଶନିବାର ସକାଳେ ଉକ୍ତ ଗ୍ରାମର କୈଳାସ ସୂର୍ଯ୍ୟ ପ୍ରକାଶଙ୍କ ସ୍ତ୍ରୀ ସସ୍ମିତାଙ୍କ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କୈଳାସ ସଙ୍ଗେ ସଙ୍ଗେ ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାଇଥିଲେ। ଆଶା ଦିଦି ପହଞ୍ଚତ୍ ସସ୍ମିତାଙ୍କୁ ତୁରନ୍ତ ମେଡିକାଲ ନେବାକୁ ପଡିବ ବୋଲି କହିବା ସହ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ଡ଼ାଲଭଟ୍ଟା ଛକରେ ଆସି ଅଟକିଥିଲା ଆମ୍ବୁଲାନ୍ସ। କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ପରିବାର ଓ ସମ୍ପର୍କୀୟମାନେ ସସ୍ମିତାଙ୍କୁ ଏକ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର କରି ଡାଲଭଟ୍ଟା ଛକ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆମ୍ବାଦୋଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ସସ୍ମିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ ଯେ, କାଡାଘାଟି ଗ୍ରାମ ନିକଟରେ ଥିବା ନଦୀରେ ଏକ ବ୍ରିଜ ନିର୍ମାଣ ନେଇ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ସେମାନଙ୍କ କଥାକୁ କେହି ଗୁୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାଡାଘାଟି ନଦୀରେ ଏକ ବ୍ରିଜ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।