Categories: ଖେଳ

ଷ୍ଟୋଇନିସଙ୍କ ବିବିଏଲ୍‌ ରେକର୍ଡ

ମେଲବୋର୍ନ, ୧୨।୧ (ପି.ଟି.)-ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାର୍କସ ଷ୍ଟୋଇନିସ ସଂଗ୍ରହ କରିଛନ୍ତି। ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋଇନିସ ରବିବାର ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ଅପରାଜିତ ୧୪୭ ରନର ମାରାଥନ ଇନିଂସ ଖେଳିଛନ୍ତି। ୩୦ ବର୍ଷୀୟ ଅଷ୍ଟ୍ରେଲୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଷ୍ଟୋଇନିସଙ୍କ ଏହି ୭୯ ବଲର ଇନିଂସ ମଧ୍ୟରେ ୧୩ ଚୌକା ଓ ୮ ଛକା ସାମିଲ ରହିଥିଲା। ମେଲବୋର୍ନ ୨୦ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୨୧୯ ରନ କରିଥିବାବେଳେ ସିଡ୍‌ନୀ ସିକ୍ସର୍ସ ୭ ଉଇକେଟ୍‌ ହରାଇ ୧୭୫ ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ମେଲବୋର୍ନ ୪୪ ରନରେ ବିଜୟୀ ଲାଭ କରିଥିଲା। ପୂର୍ବରୁ ବିବିଏଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ ଡି ଆର୍ସି ଶର୍ଟ (୬୯ ବଲ ୧୨୨ ରନ)ଙ୍କ ନାମରେ ରହିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମୀ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷ୍ଟୋଇନିସଙ୍କୁ ଦଳରୁ ରିଲିଜ କରିଥିଲା। କିନ୍ତୁ ଆଇପିଏଲ୍‌ ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କ୍ରୟ କରିଥିଲା। ସେହିଭଳି ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସ୍ଥାନ ମିଳିନାହିଁ।

Share