ଷ୍ଟେଶନରୁ ପିଲା ଚୋରି

ବାଲେଶ୍ୱର ଅଫିସ, ୫।୧୦: ବାଲେଶ୍ୱର ରେଳଷ୍ଟେଶନ ୧ ନଂ. ପ୍ଲାଟଫର୍ମରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମା’ ପାଖରେ ଶୋଇଥିବା ଏକ ୩ମାସର ପୁଅକୁ ଚୋରି କରିନେଇଥିବା ରେଳବାଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ମାମଲା (ନଂ. ୬୨/୧୯) ରୁଜୁ କରାଯାଇଛି। ପୋଲିସ ପକ୍ଷରୁ ସିସିଟିଭି ଯାଞ୍ଚ କରାଯାଇ ଜଣକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଘଟଣାର ୨ଦିନ ବିତିଯାଇଥିଲେ ବି ଶିଶୁକୁ ଉଦ୍ଧାର କରିବାରେ ପୋଲିସ୍‌ ବିଫଳ ହୋଇଛି।
ଜଳେଶ୍ୱର ଅଞ୍ଚଳର ସୀତା ମାରାଣ୍ଡି ନାମ୍ନୀ ମହିଳା କିଛିଦିନ ହେଲା ବାଲେଶ୍ୱର ସହର ସହଦେବଖୁଣ୍ଟା ମଡ଼େଲ ଥାନା ଗୁଧିବସାରେ ଭଡ଼ାରେ ରହି ଲୋକମାନଙ୍କ ଘରେ କାମ କରି ଚଳୁଥିଲେ। ଗତ ଗୁରୁବାର ରାତିରେ ସେ ଘରକୁ ଫେରି ନ ପାରି ନିଜର ପୁଅ ସହ ରେଳଷ୍ଟେଶନର ୧ନଂ. ପ୍ଲାଟଫର୍ମରେ ଶୋଇଥିଲେ। ସୀତାଙ୍କ ନିଦ ଲାଗିଯାଇଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ପୁଅକୁ ତାଙ୍କ କୋଳରୁ ଉଠାଇ ନେଇଯାଇଥିଲେ। ନିଦ ଭାଙ୍ଗିବା ପରେ ସୀତା ତାଙ୍କ ପୁଅଙ୍କୁ ଖୋଜି ନ ପାଇବାରୁ ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଏନେଇ ରେଳବାଇ ଥାନା ଏସ୍‌ଆଇ ଇନ୍ଦୁମତୀ ଶୁକ୍ଳା କହିଛନ୍ତି, ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ପାଇବା ପରେ ସନ୍ଦେହରେ ଜଣଙ୍କୁ ଅଟକ ରଖି ତଦନ୍ତ କରାଯାଉଛି। ଖୁବ୍‌ଶୀଘ୍ର ଶିଶୁକୁ ଉଦ୍ଧାର କରାଯିବ।