ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଗଲା

କଟକ ଅଫିସ, ୩୧ା୧୦: ଷ୍ଟିଚ୍‌ ଖୋଲୁଖୋଲୁ ପେଟ ମେଲା ହୋଇଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରୋଗୀ ଜଣକ ଛଟପଟ ହେଉଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇନାହିଁ। ଉକ୍ତ ଘଟଣାକୁ ନେଇ ପାରାଲିଗାଲ ଭଲ୍ୟୁଣ୍ଟିୟର ବିଭୂତି ରାୟ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କୁ ଭେଟି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରୋଗୀ ହେଉଛନ୍ତି ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଜଣେ ମହିଳା। ପ୍ରସବ ନିମନ୍ତେ ଗତ ୨୪ ତାରିଖରେ ସେ ଏସ୍‌ସିବି ମେଡିକାଲର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ପ୍ରସବ କରାଯାଇଥିଲା। ବୁଧବାର ମହିଳାଙ୍କର ଷ୍ଟିଚ୍‌ ଖୋଲାଯାଇଥିଲା। ମାତ୍ର ଷ୍ଟିଚ୍‌ ଖୋଲିବା ପରେ ପେଟର କଟାଯାଇଥିବା ଅଂଶ ସମ୍ପୂର୍ଣ୍ଣ ଭାବେ ମେଲା ହୋଇଯାଇଥିଲା। ଏହାକୁ ଦେଖି ମହିଳା ଓ ତାଙ୍କ ସ୍ବାମୀ ଡରି ଯାଇଥିଲେ। ମାତ୍ର ଡାକ୍ତର ନ ଆସିବା ଦ୍ୱାରା ସେମାନେ ନିରୁପାୟ ହୋଇ ସାମାଜିକ କର୍ମୀମାନଙ୍କୁ ଫୋନ୍‌ କରିଥିଲେ। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି କୁହନ୍ତି, ମହିଳା ଜଣଙ୍କ ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି।