Categories: ଭଦ୍ରକ

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି ଟିମ୍‌ ପାନ୍ଥିକା ପରିସରରେ ଓପିଟିସିଏଲ୍‌, ନେସ୍କୋ, ଠିକା ଏଜେନ୍ସି ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଆଲୋଚନା କରିଥିଲା। ଏହାପରେ ଆଗରପଡ଼ା ଓ ଭଦ୍ରକ ବାଗୁରାଇଠାରେ ନିର୍ମାଣାଧୀନ ସବ୍‌ଷ୍ଟେଶନ କାର୍ଯ୍ୟ ବୁଲି ଦେଖିଥିଲେ। ସବ୍‌ଷ୍ଟେଶନ ନିର୍ମାଣ କାର୍ଯ୍ୟ ଆଶାନୁତୀତ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେଉ ନ ଥିବାରୁ କମିଟି ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଖ୍ୟତଃ ଶିଳ୍ପାଞ୍ଚଳ ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ସବ୍‌ଷ୍ଟେଶନ ନିର୍ମାଣ କରାଯାଇଥିଲେ ମଧ୍ୟ ବିଭାଗର ଖାମଖିଆଲି ନୀତି ଯୋଗୁ ଲୋକେ ସମସ୍ୟା ଭୋଗୁଥିବା କୁହାଯାଇଥିଲା। ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ଶିଳ୍ପ ପାଇଁ ଆବଶ୍ୟକ କରୁଥିବା ବିଦ୍ୟୁତ୍‌ ସମସ୍ୟାକୁ ତର୍ଜମା କରି ଧାମରାରେ ଉଚ୍ଚକ୍ଷମତା ସମ୍ପନ୍ନ ସବ୍‌ଷ୍ଟେଶନ ପ୍ରତିଷ୍ଠା ଲାଗି ପରାମର୍ଶ ଦିଆଯାଇଥିଲା। ସେହିପରି ଭଦ୍ରକ ଜିଲା ପାଇଁ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଷ୍ଟକ୍‌ ପଏଣ୍ଟ ପ୍ରତିଷ୍ଠା ସକାଶେ ପରାମର୍ଶ ଦିଆଯାଇଥିଲା। ତିହିଡ଼ିର ଗଦି, ବାସୁଦେବପୁରର ପଦ୍ମପୁର, ବାରାପୁର, ବାଲିମୁଣ୍ଡା, ବନ୍ତର ନିଳୋକ, ଧାମନଗର ରାଣୀପୋଖରୀ, ଭଦ୍ରକର ବିଜେଗଙ୍ଗାଧରପୁର ଓ ତଳାଙ୍ଗ ଆଦି ସ୍ଥାନରେ ସବ୍‌ଷ୍ଟେଶନ କାର୍ଯ୍ୟ ତୁରନ୍ତ ସାରିବା ପାଇଁ କମିଟି ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ସରକାରଙ୍କ ସୌଭାଗ୍ୟ ଯୋଜନାର ସୁଫଳ ଲୋକେ ପାଇପାରୁ ନ ଥିବା, ଉପଭୋକ୍ତା ମୁତାବକ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା ତଥା ଆବଶ୍ୟକ ସବ୍‌ଷ୍ଟେଶନ କ୍ଷମତା ବଢ଼ାଯାଉ ନ ଥିବା ନେଇ ବିଭାଗୀୟ କର୍ମକର୍ତ୍ତାଙ୍କୁ ତାଗିଦ୍‌ କରିଥିଲେ। ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଲୋକଙ୍କ କାମରେ ଲଗାଇବାକୁ କମିଟି ସଦସ୍ୟମାନେ ନିର୍ଦ୍ଦେଶ ଦେଇଥିଲେ।
ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ, ଭଦ୍ରକ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, କେନ୍ଦୁଝର ବିଧାୟକ ମୋହନ ମାଝୀ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରମୁଖ କମିଟିରେ ସାମିଲ ଥିଲେ। ପ୍ରଶାସନ ପକ୍ଷରୁ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ନେସ୍କୋ ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର(ନର୍ଥ) ଦେବାଶିଷ ଜେନା, ଏସ୍‌ଡିଓ ଗୌରହରି ମଣ୍ଡଳ, ପ୍ରଭାସ ବିଶ୍ୱାଳ, ଓପିଟିସିଏଲ୍‌ର ଜେନେରାଲ ମ୍ୟାନେଜର ଶକ୍ତିପ୍ରସାଦ ଦାଶ, ଡିଜିଏମ୍‌ ପ୍ରବୀର ମଲ୍ଲିକ, ଏଜିଏମ୍‌ ଆଦିତ୍ୟ ମିଶ୍ର, ଏମ୍‌ପିଙ୍କ ପ୍ରତିନିଧି ମଳୟ ଯେନାଙ୍କ ସହ ଓପିଟିସିଏଲ୍‌ କର୍ମକର୍ତ୍ତା ଉପସ୍ଥିତ ଥିଲେ।