Categories: ରାଜ୍ୟ

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା ହେବାରୁ ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଛନ୍ତି। ମୃତକ ହେଲେ କେନ୍ଦ୍ରପଡ଼ା ଜିଲା ନିକିରେଇ ଥାନା ଅଧୀନ ଇନ୍ଦୁପୁର ଗ୍ରାମର ଗୋଲଖ ସେଠୀଙ୍କ ପୁଅ ସନ୍ତୋଷ (୨୫)। ସ୍ତ୍ରୀଙ୍କ ଭାଇ ବଳରାମ ସେଠୀ, ବାପା ସୁରେନ୍ଦ୍ର ସେଠୀ, ପଡ଼ୋଶୀ କାର୍ତ୍ତିକ କୁମାର ଜେନା ମିଳିମିଶି ସନ୍ତୋଷଙ୍କୁ ଜୀବନରୁ ମାରିଦେଇଥିବା ବାପା ଗୋଲଖ ଶୁକ୍ରବାର ଅଭିଯୋଗରେ ଦର୍ଶାଇଛନ୍ତି। ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ, ସୁରେନ୍ଦ୍ର, ବଳରାମ ସେଠୀଙ୍କୁ ଗିରଫ କରିବା ସହ ଲୁହା ରଡ଼, ଶାବଳ ଓ ବାଇକ ଜବତ କରିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିଲାବେଳେ ପରିବାରର ଅନ୍ୟ ଲୋକଙ୍କୁ ଡାକି ପୋଲିସ ପଚରାଉଚୁରା ଜାରି ରଖିଛି। ସନ୍ତୋଷଙ୍କ ମୃତଦେହ ବ୍ୟବଚ୍ଛ୍ୟେବ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ମାମଲା (ନଂ.୧୭୧/୨୦୧୯) ରୁଜୁ କରିଛି।
ପ୍ରକାଶ ଯେ, ସନ୍ତୋଷ ଦେଢ଼ ବର୍ଷ ତଳେ ବରୀ ଥାନା ଅନ୍ନ୍ୟାସପୁର ଗ୍ରାମର ଅନିତା ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସନ୍ତୋଷ ସ୍ତ୍ରୀ ଅନିତାଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେଉଥିଲେ। ଫଳରେ ଅନିତାଙ୍କ ପରିବାର ଲୋକେ ତାଙ୍କୁ ବାପଘରକୁ ନେଇ ଆସିଥିଲେ। ସନ୍ତୋଷ କିଛିଦିନ ପରେ ଶ୍ୱଶୁର ଘରେ ପହଞ୍ଚି ୩୦ ହଜାର ଟଙ୍କା ଜରିମାନା ଦେଇ ଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାର ସମାଧାନ କରିଥିଲେ। ଏ ନେଇ ସମାଧାନର ଏକ ନକଲ ବରୀ ଥାନାରେ ଦାଖଲ କରାଯାଇଥିଲା। ସନ୍ତୋଷ ଭବିଷ୍ୟତରେ ଯେମିତି ଅନିତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦେବେନାହଁି, ସେ ନେଇ ଲିଖିତ ଭାବେ ସ୍ବୀକାର କରିଥିଲେ। ପରେ ଅନିତା ସ୍ବାମୀଙ୍କ ସହ ଶାଶୁଘରକୁ ଚାଲି ଯାଇଥିଲେ। ହେଲେ ପୁନଶ୍ଚ ସନ୍ତୋଷ ନିର୍ଯାତନା ଦେବାରୁ ଅନିତା ବାପଘରକୁ ପଳାଇଆସିଥିଲେ। ଅନିତା ଘଟଣାର ସମାଧାନ ପାଇଁ ବୁଧବାର ଫୋନ୍‌ କରି ସନ୍ତୋଷଙ୍କୁ ତାଙ୍କ ଘରକୁ ଡାକିଥିଲେ। କୌଣସି କାରଣରୁ ସନ୍ତୋଷଙ୍କର ଶ୍ୱଶୁର ଘର ଲୋକଙ୍କ ସହ ବଚସା ହୋଇଥିଲା। ଫଳରେ ଅନିତାଙ୍କ ପରିବାର ଲୋକେ ସନ୍ତୋଷଙ୍କୁ ପିଟିପିଟି ଜୀବନରୁ ମାରିଦେଇଛନ୍ତି।