Categories: ଖେଳ

ଶ୍ରେଷ୍ଠ-୫୦ ପ୍ରଭାବଶାଳୀ ଭାରତୀୟ ତାଲିକାରେ ଦୂତୀ: କୋହଲି ସପ୍ତମ, ଅମିତାଭ ନବମ, ଦୂତୀ ୪୭ତମ ସ୍ଥାନରେ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଦେଶର ଦ୍ରୁତତମ ଧାବିକା ତଥା ଓଡ଼ିଆ ମହିଳା ଆଥଲେଟ୍‌ ଦୂତୀ ଚାନ୍ଦ ଆଉ ଏକ ସମ୍ମାନର ଅଧିକାରୀ ହୋଇଛନ୍ତି। ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଦେଶର ଶ୍ରେଷ୍ଠ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ନେଇ ପ୍ରକାଶିତ ହୋଇଥିବା ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାର ୪୭ତମ ସ୍ଥାନରେ ରହିଛନ୍ତି। ଦେଶର ଅଗ୍ରଣୀ ଇଂଲିଶ ପତ୍ରିକା ‘ଇଣ୍ଡିଆ ଟୁଡେ’ ତା’ର ଅଗଷ୍ଟ ସଂସ୍କରଣରେ ଏହି ତାଲିକା ପ୍ରକାଶିତ କରିଛି। ଚଳିତବର୍ଷ ଅନୁଷ୍ଠିତ ୨୦୧୮ ଏସିଆନ୍‌ ଗେମ୍ସ ଓ ୨୦୧୯ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ କରି ଦୂତୀ ଏହି ତାଲିକାରେ ସ୍ଥାନ ପାଇଛନ୍ତି ବୋଲି କୁହାଯାଇଛି।
ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍‌ ଭାବେ ଦୂତୀଙ୍କୁ ଏହି ପତ୍ରିକା ସମ୍ବୋଧନ କରିଛି। ୨୦୧୮ ଏସିଆନ ଗେମ୍ସରେ ଦୂତୀ ଦୁଇଟି ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସେ ଚଳିତ ବର୍ଷ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥିସହିତ ଦ୍ୱିତୀୟ ଭାରତୀୟ ଭାବେ ଦୂତୀ କୌଣସି ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ଉଲ୍ଲେଖ କରିଛି। ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ମୁକେଶ ଏବେ ୫୦ ବିଲିୟନ ଆମେରିକୀୟ ଡଲାର ବା ୩.୪୫ ଲକ୍ଷ କୋଟି ଟଙ୍କାର ମାଲିକ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ଦେଶର ଅନ୍ୟତମ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଗୌତମ ଆଦାନୀ, ଉଦୟ କୋଟାକ, ଆନନ୍ଦ ମହିନ୍ଦ୍ରା ଓ ରତନ ଟାଟା ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏହି ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ମିଲେନିୟମ ଷ୍ଟାର ଅମିତାଭ ବଚ୍ଚନ ନବମ, ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ୧୭, ସୁପରଷ୍ଟାର ଅକ୍ଷୟ କୁମାର ୨୧, ନିତା ଅମ୍ବାନୀ ୨୩, ବାବା ରାମଦେବ ୨୫, ଅଭିନେତା ରଣବୀର ସିଂ ୨୭, ସଲମାନ ଖାଁ ୨୯, ତାମିଲ ସୁପରଷ୍ଟାର ରଜନୀକାନ୍ତ ୩୬, ଅଭିନେତ୍ରୀ ଦୀପିକା ପାଡୁକୋନ ୪୨, ଟେଲିଭିଜନ ସିରିଏଲ ପ୍ରଯୋଜିକା ଏକତା କାପୁର ୪୮ତମ ସ୍ଥାନରେ ରହିଛନ୍ତି।
ସେହିପରି ଭାରତର ସବୁଠାରୁ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ରାଜନେତା ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ରହିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗଓ୍ବତ୍‌ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

Share