ଶ୍ରେଣୀଶିକ୍ଷାର ବିକଳ୍ପ ନାହିଁ

ରବିନାରାୟଣ ସାମଲ

ଲକ୍‌ଡାଉନ୍‌ ଆରମ୍ଭ ହେବାକ୍ଷଣି ସ୍କୁଲ-କଲେଜ ପାଠପଢ଼ା ବନ୍ଦ ରହିଲା। ବିକଳ୍ପ ସ୍ବରୂପ ସରକାର ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ। ହ୍ବାଟ୍ସଆପ୍‌ ଗ୍ରୁପ୍‌ ତିଆରି ହେଲା। ଛାତ୍ରୀଛାତ୍ର ଓ ଶିକ୍ଷକମାନେ ଗ୍ରୁପ୍‌ରେ ରହି ପାଠପଢ଼ା ଆରମ୍ଭ କଲେ। ମାତ୍ର ଏହା ଶତପ୍ରତିଶତ ଫଳପ୍ରଦ ହେଲା ନାହିଁ। କାରଣ ଅଧିକାଂଶ ଛାତ୍ରୀଛାତ୍ରଙ୍କର ଆଣ୍ଡ୍ରଏଡ୍‌ ଫୋନ୍‌ ନ ଥିବାରୁ ସେମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ନେଟ୍‌ୱର୍କ ନ ଥିବାରୁ କେତେକ ଛାତ୍ରୀଛାତ୍ର ଗଛ ଉପରେ, ପାଣି ଟାଙ୍କି ଉପରେ ଅଥବା ପାହାଡ଼ ଉପରେ ବସି ପାଠ ପଢ଼ିଲେ। ଗଣମାଧ୍ୟମରେ ଏହାର ଦୟନୀୟ(ଅତିରଞ୍ଜିତ) ଚିତ୍ର ପ୍ରକାଶ ପାଇଲା। ସରକାର ‘ଦୂରଦର୍ଶନ’ ଚ୍ୟାନେଲ୍‌ ମାଧ୍ୟମରେ ମଧ୍ୟ ଶିକ୍ଷାଦାନ ବ୍ୟବସ୍ଥା କଲେ। କିନ୍ତୁ ଡିଟିଏଚ୍‌ ବ୍ୟବହାର ଯୋଗୁ ଦର୍ଶକଙ୍କ ପସନ୍ଦରୁ ‘ଦୂରଦର୍ଶନ’ ପ୍ରାୟ ଏକରକମ ବିଦା ହୋଇଯାଇଛି। ତା’ ସତ୍ତ୍ୱେ କିଛି ପିଲା ଆଶ୍ୱସ୍ତ ହେଲେ। ଆମ ରାଜ୍ୟରେ ତ ବିଜୁଳିର ଲୁଚକାଳି ଖେଳ କିଛି ନୂଆ କଥା ନୁହେଁ। କେଉଁଠି ଟିଭି ଚାଲିଲା ତ ଆଉ କେଉଁଠି ଚାଲିଲା ନାହିଁ। ଏଥିରେ ଅଭିଭାବକମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କଲେ। ସବୁ କ୍ଷେତ୍ରରେ ନିରାଶ ହୋଇ ସରକାର ‘ରେଡିଓ ପାଠଶାଳା’ର ଶୁଭ ଉଦ୍‌ଘାଟନ କଲେ। ଉଦ୍ଦେଶ୍ୟ ଥିଲା ଛାତ୍ରୀଛାତ୍ରମାନେ ରେଡିଓ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ। ଟିଭି-ଇଣ୍ଟର୍‌ନେଟ୍‌ର ବହୁଳ ବ୍ୟବହାର ଯୋଗୁ ରେଡିଓ ଯେ କେବେଠାରୁ ବିଦା ହୋଇଗଲାଣି, ଏକଥା ବୋଧେ ସରକାରଙ୍କୁ ଜଣା ନ ଥିଲା। ତା’ ସତ୍ତ୍ୱେ ବିଚ୍ଛିନ୍ନାଞ୍ଚଳରେ କିଛି ପିଲା ଆଳିମାଳିକାରେ ପଡ଼ିଥିବା ରେଡିଓକୁ ଉଦ୍ଧାର କରି ଶ୍ରୋତା ପାଲଟି ଗଲେ। ଏହି ପ୍ରକ୍ରିୟା ମଧ୍ୟ ଫଳପ୍ରଦ ହେଲା ନାହିଁ। ଶେଷକୁ ସ୍କୁଲ-କଲେଜ ଖୋଲିବା-ନ ଖୋଲିବାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ଚଳିତ ଅକ୍ଟୋବର ପରେ ପରିସ୍ଥିତିକୁ ଦେଖି ସରକାର ହୁଏତ କିଛି ନିଷ୍ପତ୍ତି ନେଇପାରନ୍ତି।
ସ୍କୁଲ ବନ୍ଦ ଯୋଗୁ ଛାତ୍ରୀଛାତ୍ରମାନଙ୍କର ଯେତେ କ୍ଷତି ଘଟିଲାଣି ସେ ସମ୍ପର୍କରେ ୟୁନେସ୍କୋ ଯେଉଁ ସତର୍କ ଘଣ୍ଟି ବଜାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଦେଶର ଅର୍ଥନୀତିକୁ କୋଭିଡ୍‌ ମହାମାରୀ ଯେତେ ପ୍ରଭାବିତ କରିଛି ତାହା ପରୋକ୍ଷ ଭାବେ ଶିକ୍ଷା ବ୍ୟବସ୍ଥାକୁ ଆକ୍ରାନ୍ତ କରିଛି। ଫଳରେ ଆସନ୍ତା ଶିକ୍ଷା ବର୍ଷରେ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢ଼ିବ ଏବଂ ୨୩.୮ ମିଲିଅନ୍‌ ଛାତ୍ରୀଛାତ୍ର ନିଜ ପାଠପଢ଼ାରେ ସବୁ ଦିନ ପାଇଁ ଡୋରି ବାନ୍ଧିବେ। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ଯୋଗୁ ଶିକ୍ଷା କ୍ଷେତ୍ରରୁ ଅବ୍ୟାହତି ନେଇଥିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଜୀବନ ପ୍ରଭାବିତ ହେବ ଏବଂ ସେଥିଯୋଗୁ ଦେଶର ୪୨୦ ବିଲଅନ୍‌ ଡଲାର କ୍ଷତି ଘଟିବ। କଥାଟିକୁ ବୁଝିବା ଆମ ପରି ସାଧାରଣ ଲୋକଙ୍କ ପକ୍ଷେ ସେତେ ସହଜ ହେଉ ନ ଥିଲେ ମଧ୍ୟ ତାହାର କୁପରିଣାମ ଆମକୁ ଭୋଗିବାକୁ ପଡ଼ିବ। ଛାତ୍ରୀଛାତ୍ରଙ୍କର ଶିକ୍ଷାଗ୍ରହଣରେ ପାଖାପାଖି ଯେଉଁ ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହୋଇଗଲା ତାହାର ପ୍ରଭାବ ସୁଦୂରପ୍ରସାରୀ। ଏହାକୁ ଆମମାନଙ୍କୁ ସ୍ବୀକାର କରିବାକୁ ହେବ।
ସ୍କୁଲ-କଲେଜ ଖୋଲିଲେ ଛାତ୍ରୀଛାତ୍ରମାନେ ଯେ କେବଳ ପାଠ ପଢ଼ନ୍ତି ତାହା ନୁହେଁ, ପାଠପଢ଼ା ସହିତ କୋକରିକୁଲାର ଓ ଏକ୍ସଟ୍ରା କରିକୁଲାର କାର୍ଯ୍ୟକ୍ରମ ଗତିଶୀଳ ହୋଇଥାଏ। ଛାତ୍ରୀଛାତ୍ରମାନେ ଆଳସ୍ୟମୁକ୍ତ ହୋଇଥାନ୍ତି। ନୀତିନିର୍ଘଣ୍ଟ ସେମାନଙ୍କୁ ଅଧିକ ସକ୍ରିୟ କରେ ଏବଂ ଶାରୀରିକ ଓ ମାନସିକ ସ୍ତରରେ କ୍ରିୟାଶୀଳ କରିଥାଏ। ଦୀର୍ଘ ଆଠ ମାସ ହେଲା ଏହି ସବୁ ପ୍ରକ୍ରିୟାରେ ପ୍ରାୟ ଭଟ୍ଟା ପଡ଼ିଯାଇଛି। ଛାତ୍ରୀଛାତ୍ରମାନେ ସ୍ଥାଣୁତାର ଶିକାର ହୋଇଯାଇଛନ୍ତି।
ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶ୍ରେଣୀଶିକ୍ଷା। ଆମ ପିଲାମାନେ ଯଦି ଏକଲବ୍ୟ ହୋଇଥାନ୍ତେ ତେବେ ଆମକୁ ବେଶି ଚିନ୍ତା କରିବାକୁ ପଡ଼ନ୍ତା ନାହିଁ। ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ ନିର୍ବିଶେଷରେ ସେମାନେ ନିଜ ଆବଶ୍ୟକତାକୁ ମେଣ୍ଟାଇ ଦିଅନ୍ତେ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାହା ଫଳପ୍ରଦ ହେଉ ନାହିଁ। ଶ୍ରେଣୀ ଶିକ୍ଷାର ଆବଶ୍ୟକତା ଯଥେଷ୍ଟ ଅନୁଭୂତ ହେଉଛି। ଶ୍ରେଣୀ ପ୍ରକୋଷ୍ଠରେ ଶିକ୍ଷକଙ୍କ ଶିକ୍ଷାଦାନ ଛାତ୍ରୀଛାତ୍ରମାନଙ୍କୁ ଆଶାତୀତ ପ୍ରଭାବିତ କରିଥାଏ। ଶିକ୍ଷକଙ୍କ ଶିକ୍ଷାଦାନ ପ୍ରଣାଳୀ, ବିଷୟବସ୍ତୁର ଅନୁଶୀଳନ, କଳାପଟା ଓ ପାଠ୍ୟ ଉପକରଣର ବ୍ୟବହାର ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଭାବର ଆଦାନପ୍ରଦାନ ଶ୍ରେଣୀଶିକ୍ଷାକୁ ପ୍ରାଣବନ୍ତ କରିଥାଏ। ଫଳରେ ଛାତ୍ରୀଛାତ୍ରମାନେ ଚଳଚଞ୍ଚଳ ହୋଇଥାନ୍ତି ଏବଂ ଶିକ୍ଷାଦାନରେ ସେମାନଙ୍କର ଅଂଶଗ୍ରହଣ ବିଷୟଗତ କ୍ଳୀଷ୍ଟତାକୁ ସାବଲୀଳ କରିଥାଏ। ଛୁଟି ଦିନଗୁଡ଼ିକୁ ତୁଳନାମତ୍କଭାବେ ବିଚାର କଲେ ଏ କ୍ଷେତ୍ରରେ ଶ୍ରେଣୀଶିକ୍ଷାର ଗୁରୁତ୍ୱକୁ ସହଜରେ ଉପଲବ୍ଧି କରିହୁଏ। ତେଣୁ ଶ୍ରେଣୀଶିକ୍ଷାକୁ ବାଦ୍‌ ଦେଇ ଅନ୍ୟ କୌଣସି ଫଳପ୍ରଦ ବିକଳ୍ପ କଥା ଚିନ୍ତା କରାଯାଇପାରିବ ନାହିଁ।
କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କେତେକ ରାଜ୍ୟରେ ସ୍କୁଲ-କଲେଜ ଖୋଲିଲାଣି। ପୂଜା ଛୁଟି ପରେ ଆମ ରାଜ୍ୟରେ ଆରମ୍ଭ କରିବାକୁ ସରକାର ଚିନ୍ତା କରୁଛନ୍ତି। ତାହା ମଧ୍ୟ ହେବା ଉଚିତ। ସତର୍କତା ସହିତ ପରିଚାଳନା କରିପାରିଲେ ଆମ ପାଇଁ ସେତେ ବିପଜ୍ଜନକ ହେବ ନାହିଁ। କୋଭିଡ୍‌ ସେଣ୍ଟର୍‌ ହୋଇଥିବା ପ୍ରତ୍ୟେକଟି ସ୍କୁଲ-କଲେଜକୁ ପ୍ରଥମେ ପୂରା ମାତ୍ରାରେ ବିଶୋଧନ କରିବା ଅତ୍ୟନ୍ତ ଜରୁରୀ। ବିଶୋଧିତ ଶୌଚାଳୟ ସହିତ ନିରାପଦ ପାନୀୟଜଳର ସୁବନ୍ଦୋବସ୍ତ କରାଯିବା ନିହାତି ଆବଶ୍ୟକ। ମଧ୍ୟାହ୍ନଭୋଜନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦେବା ମଧ୍ୟ ଦରକାର। ଶ୍ରେଣୀ ପ୍ରକୋଷ୍ଠର ଆୟତନକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଗ୍ରୁପ୍‌ କରାଯିବା ସହିତ ପାଠପଢ଼ାର ସମୟ ଓ ଦିନକୁ ଅଦଳବଦଳ କରି ଶିକ୍ଷାଦାନ କରାଯାଇ ପାରେ। ପ୍ରବେଶ ପଥରେ ଥର୍ମୋସ୍କ୍ରିନର୍‌ ରଖାଯିବା ସାଙ୍ଗେ ସାଙ୍ଗେ ପିଲାମାନଙ୍କର ମାସ୍କ, ଗ୍ଲୋଭସ୍‌ ଆଦିକୁ ମଧ୍ୟ ତନଖି କରିବା ଦରକାର। ପ୍ରତ୍ୟେକଟି ଶ୍ରେଣୀରେ ସାନିଟାଇଜର୍‌ ଓ ହ୍ୟାଣ୍ଡ୍‌ୱାଶ୍‌ର ବ୍ୟବସ୍ଥା ମଧ୍ୟ ହେବା ଦରକାର। ମଝିରେ ମଝିରେ ପ୍ରଶାସନ ଦ୍ୱାରା ଏ ସବୁର ତଦାରଖ ହେବା ସହିତ ବିଦ୍ୟାଳୟର କାନ୍ଥବାଡ଼ରେ ସଚିତ୍ର ପୋଷ୍ଟର୍‌ ଲଗାଗଲେ ଛାତ୍ରୀଛାତ୍ରମାନେ ଅଧିକ ଯନତ୍ବାନ ହେବେ। ଛାତ୍ରୀଛାତ୍ରମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହିତ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ପ୍ରତ୍ୟେକଟି ବିଦ୍ୟାଳୟରେ ହେବା ଦରକାର। ଏ ସବୁଥିରେ ଅଭିଭାବକମାନଙ୍କ ସହଯୋଗ ରହିବା ସର୍ବାଦୌ ଉଚିତ ହେବ। ସରକାର ତ ପାଠ୍ୟକ୍ରମକୁ ୩୦ ଶତାଂଶ ହ୍ରାସ କରିଛନ୍ତି। ଅବଶିଷ୍ଟ ଅଂଶକୁ ଆବଶ୍ୟକ ସ୍ଥଳେ ଏକ୍ସଟ୍ରା କ୍ଲାସ୍‌ କରି ଭରଣା କରିବା କଷ୍ଟକର ହେବ ନାହିଁ। ଏବେ ସୁଦ୍ଧା ଛାତ୍ରୀଛାତ୍ରମାନେ ବହୁତ କ୍ଷତିଗ୍ରସ୍ତ ହେଲେଣି। ଅଧିକ ବିଳମ୍ବ କରିବା ଆଉ ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ। ଅତ୍ୟନ୍ତ ସତର୍କତାର ସହିତ ପାଠପଢ଼ା ଆରମ୍ଭ କରାଗଲେ ପରିସ୍ଥିତି ଆସ୍ତେ ଆସ୍ତେ ସ୍ବାଭାବିକ ହେବ।
କପିଳା, ଯାଜପୁର
ମୋ-୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri