ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି, ଅବକାଶ, ସର୍ବସାଧାରଣ ଦର୍ଶନ, ପରେ ମାଘ ସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀଙ୍କ ଖଇଦହି ବଲ୍ଲଭ ଶେଷ ହେବା ପରେ ମନ୍ଦିରରୁ ସ୍ବତନ୍ତ୍ର ଶୋଭାଯାତ୍ରାରେ ଶ୍ରୀଲିଙ୍ଗରାଜଙ୍କ ମହାପ୍ରସାଦ ରଥଖଳାକୁ ନିଆଯାଇଥିଲା। ପାଳିଆ ସେବକଙ୍କ ଉପସ୍ଥିତିରେ ପୂଜାପଣ୍ଡା ସେବାୟତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରି ରଥକାଠ ପୂଜା କରିଥିଲେ। ଆଳତି ପରେ ସର୍ଦ୍ଦାରୀ ମହାରଣା, ବଟକୃଷ୍ଣ ମହାରଣା, ସୋମନାଥ ମହାରଣାଙ୍କ ଉପସ୍ଥିତିରେ କେଦାରନାଥ ମହାରଣା, ଜଗନ୍ନାଥ ମହାରଣା ଏବହ ବାବାଜୀ ମହାରଣା କାଠରେ କୁରାଢି ଲଗାଇ ଅନୁକୂଳ ସମ୍ପନ୍ନ କରିଥିଲେ। ଏହା ପରେ ଠାକୁରଙ୍କ ସକାଳ ଧୂପ ହୋଇ ଅନ୍ୟାନ୍ୟ ନୀତି ହୋଇଥିଲା।