Categories: ଜାତୀୟ

ଶ୍ରୀଲଙ୍କା ବିସ୍ଫୋରଣ: ଦୁଇ ବିସ୍ଫୋରଣକାରୀ କୋଟିପତି ବ୍ୟବସାୟୀଙ୍କ ପୁଅ

ନୂଆଦିଲ୍ଲୀ,୨୪ା୪: ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଥିବା ଦୁଇ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ଦୁଇଜଣ କୋଟିପତି ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ପୁଅ ବୋଲି ଜଣାପଡିଛି। ଶ୍ରୀଲଙ୍କାରେ ଜଣାଶୁଣା ମସଲା ବ୍ୟବସାୟୀ ତଥା ବାମପନ୍ଥୀ ଜନତା ବିମୁକ୍ତି ପେରାମୁନା ପାର୍ଟିର ବରିଷ୍ଠ ନେତା ଇବ୍ରାହିମଙ୍କ ବଡପୁଅ ଇମ୍‌ସାତ ଅହମ୍ମଦ ଇବ୍ରାହିମ(୩୩) ଓ ଇହ୍ଲାମ ଅହମ୍ମଦ ଇବ୍ରାହିମ(୩୧) ଏଥିରେ ସମ୍ପୃକ୍ତ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡିଛି। ଦେମାତାଗୋଡାରେ ପରିବାର ସହ ତିନି ମହଲା ବିଳାସପୂର୍ଣ୍ଣ ଘରେ ରହୁଥିବା ଏହି ଦୁଇଭାଇ ଚିନ୍ନାମୋନ ଗ୍ରାଣ୍ଡ ଓ ଶାଙ୍ଗରୀ-ଲା ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ବୋଲି ଜଣାପଡିଛି। ବିସ୍ଫୋରକ ବୋଝେଇ ବ୍ୟାଗ୍‌ ସହ ସେମାନେ ପ୍ରଥମେ ହୋଟେଲର ବ୍ରେକ୍‌ଫାଷ୍ଟ ବଫେଟରେ ପଶିଥିଲେ ବୋଲି ଭାରତୀୟ ଗୋଇନ୍ଦା ବିଭାଗ ରିପୋର୍ଟରେ ଦର୍ଶାଯାଇଛି। ଏହି ଗୋଷ୍ଠୀର ତୃତୀୟ ବ୍ୟକ୍ତି କିଙ୍ଗ୍ସବରୀ ହୋଟେଲରେ ବିସ୍ଫୋରଣ କରିଥିଲେ। ଚତୁର୍ଥ ଆତ୍ମଘାତୀ ବିସ୍ଫୋରକ ପୋଲିସ ସହ ଯୁକ୍ତିତର୍କ କରିବା ପରେ ସାଙ୍ଗ୍ରି-ଲା ହୋଟେଲରେ ବିସ୍ଫୋରଣ କରିଥିଲା। ପ୍ରକାଶଥାଉ କି ଶ୍ରୀଲଙ୍କା ରାଷ୍ଟ୍ରପତି ଓ ଶିଳ୍ପମନ୍ତ୍ରୀଙ୍କ ସହ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ଭଲ ସମ୍ପର୍କ ଥିଲା। ଏତେବଡ କୋଟିପତି ବ୍ୟବସାୟୀଙ୍କ ପୁଅ ହୋଇ ଏଭଳି ବିସ୍ଫୋରଣ କରିବା ପଛରେ କ’ଣ ରହସ୍ୟ ରହିଛି, ତାହା ଜଣାପଡିନାହିଁ।

Share