Categories: ଜାତୀୟ

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଫଳପ୍ରଦ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ଆଲୋଚନାରେ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟଙ୍କ ଆଶା ଆକାଂକ୍ଷା ପୂରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ଏହାବ୍ୟତୀତ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା, ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଶ୍ରୀଲଙ୍କାର ଦ୍ରୁତ ବିକାଶ ଲାଗି ଭାରତ ପୂର୍ଣ୍ଣ ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆତଙ୍କବାଦ ଦମନ ଲାଗି ଆପୋସ ସହଯୋଗକୁ ସୁଦୃଢ଼ କରିବା ଉପରେ ମୋଦି ଗୋଟାବାୟାଙ୍କ ସହ ସବିଶେଷ ଆଲୋଚନା କରିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ଶ୍ରୀଲଙ୍କାର ପୋଲିସ ଅଫିସରମାନେ ଭାରତୀୟ ପ୍ରଶିକ୍ଷଣ ଅନୁଷ୍ଠାନରେ ତାଲିମ ନେଉଥିବା ମୋଦି କହିଛନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିଥିବା ଗୋଟାବାୟା ଗୁରୁବାର ନୂଆଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଶିଖରରେ ପହଞ୍ଚାଇବାକୁ ଚାହାନ୍ତି ବୋଲି ଗୋଟାବାୟା କହିଛନ୍ତି। ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ଗୋଟାବାୟା ଖବରଦାତାମାନଙ୍କୁ କହିଥିଲେ, ଦୁଇଦେଶର ଲୋକଙ୍କ ସୁରକ୍ଷା ଏବଂ ସାମଗ୍ରିକ କଲ୍ୟାଣ ଲାଗି ନୂଆଦିଲ୍ଲୀ ଓ କଲମ୍ବୋ ଏକାଠି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହୋଇଥିବା ଗୋଟାବାୟା କହିଛନ୍ତି।

Share