ଶ୍ରୀମୁଖରେ ଝଲସିଲା ରତ୍ନ ଚିତା

ପୁରୀ ଅଫିସ,୨୧।୭: ପବିତ୍ର ଚିତାଲାଗି ଅମାବାସ୍ୟା ତିଥିରେ ସୋମବାର ଶ୍ରୀମନ୍ଦିରରେ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ତିନିଠାକୁରଙ୍କୁ ଦଇତାପତି ସେବକମାନେ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସି ଉଠିଛି ରତ୍ନଚିତା। ଶ୍ରୀମନ୍ଦିରରେ ସକାଳଧୂପ ଓ ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ପୁଷ୍ପାଳକ ସେବକ ତିନିବାଡ଼ରେ ମଇଲମ କରିଥିଲେ। ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ହାତରେ ନେଇ ଖଟଶେଯ ଘରେ ବିଜେ କରାଯାଇଥିଲା। ଏହାପରେ ଦଇତାପତି ସେବକମାନେ ଗର୍ଭଗୃହକୁ ପ୍ରବେଶ କରିଥିଲେ। ରତ୍ନସିଂହାସନକୁ ଯାଇ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି କରାଇଥିଲେ। ଶୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଓଷ ଏବଂ ପାଟରା ସେବକଙ୍କଠାରୁ ଆସିଥିବା ପାଟଡୋର ଦ୍ୱାରା ତିନିଠାକୁରଙ୍କ ଶ୍ରୀମୁଖରେ ଏହି ଚିତା ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁ ହୀରା ଖଚିତ ସୁବର୍ଣ୍ଣ ଚିତା, ବଡଠାକୁର ନୀଳା ଖଚିତ ସୁବର୍ଣ୍ଣ ଚିତା ଏବଂ ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିଥିଲେ।
ଚିତା ଲାଗି ସମ୍ପନ୍ନ ପରେ ପୂଜାପଣ୍ଡା ସାମନ୍ତ ତିନିବାଡ଼ରେ ମହାସ୍ନାନ କରିଥିଲେ। ପରେ ଖଟଶେଯ ଘରେ ଥିବା ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ମାଳଫୁଲ ଲାଗି ବେଶ ବଢିବା ପରେ ମହାପ୍ରଭୁଙ୍କୁ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ବଢି ପାଣି ପଡ଼ିଲା ପରେ ପୂଜାପଣ୍ଡା, ମୁଦିରସ୍ତ ଏବଂ ପତିମହାପାତ୍ର ତିନି ବାଡ଼ରେ ବନ୍ଦାପନା କରିଥିଲେ। ଏହାପରେ ଶ୍ରୀମନ୍ଦିର ଅନ୍ୟାନ୍ୟ ନୀତି ବଢିଥିଲା। ଠାକୁରଙ୍କୁ ସକାଳ ଧୂପରେ ଚିତଉ ପିଠା ଲାଗି କରାଯାଇଥିଲା। ସୂଚନାଯୋଗ୍ୟ, ସ୍ନାନପୂର୍ଣ୍ଣିମା ଦିନ ଅଣସର ଘରେ ଠାକୁରମାନଙ୍କ ଶ୍ରୀମସ୍ତକରୁ ଚିତାମାନ ଓଲାଗି କରାଯାଇ ଭଣ୍ଡାର ଘରେ ରହିଥାଏ। ଶ୍ରୀଗୁଣ୍ଡିଚାରେ ତିନିଠାକୁର ରଥରେ ସୋଲ ନିର୍ମିତ ଚିତା ଧାରଣ କରିଥାନ୍ତି। ଚିତାଲାଗି ଅମାବାସ୍ୟାରେ ଠାକୁରମାନେ ସୋଲ ଚିତା ଓଲାଗି ହୋଇ ରତ୍ନଖଚିତ ସୁବର୍ଣ୍ଣ ଚିତା ଲାଗି ହୋଇଥାନ୍ତି।