ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ ଅଫିସ, ୨୬ା୧୧: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। ବିଭିନ୍ନ ସମୟରେ ଭକ୍ତମାନେ ମନ୍ଦିରର ବିଭିନ୍ନ ସ୍ଥାନରେ ସେଲ୍‌ଫି ନେଇ ଓ ଫଟୋ ଉଠାଇ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ବେଳେ ବେଳେ ଏଥିରୁ ବାଦ୍‌ ପଡୁନାହାନ୍ତି ଶ୍ରୀମନ୍ଦିର କର୍ମଚାରୀ, ପୋଲିସ ଓ ସେବାୟତ। ପୂର୍ବରୁ ଏମିତି ଏକାଧିକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଥିବାବେଳେ ଗତ ମାସରେ ଶ୍ରୀମନ୍ଦିର ଭିତରେ ଶୁଟିଂ ହୋଇଥିବା ଟିକ୍‌ଟିକ୍‌ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋମବାର ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ ଆନନ୍ଦବଜାରରେ ଉଠାଯାଇଛି ଏହି ଫଟୋ। ଏଥିରେ ଆନନ୍ଦବଜାରରେ ଅବଢା ବିକ୍ରି ହେଉଥିବା ଦୃଶ୍ୟ ରହିଛିି। ମାସକ ମଧ୍ୟରେ ଦ୍ୱିତୀୟ ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛିି।
ସୋମବାର ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକଙ୍କ ଫେସ୍‌ବୁକ ଆକାଉଣ୍ଟରେ ଏହି ଫଟୋ ଅପ୍‌ଲୋଡ ହୋଇଥିଲା। ଏହାପରେ ଏହି ଫଟୋ ଭାଇରାଲ ହେବାରେ ଲାଗିଥିଲା। ଏଥିରେ ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେଉଥିବା ଦୃଶ୍ୟ ରହିଛି। ତେବେ ଏହା କୌଣସି ଭକ୍ତ ଉଠାଇଛନ୍ତି ନା କେହି ସେବାୟତ ଉଠାଇ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁି। ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛିି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଇଆସୁଛି। ବିଗତ କିଛିବର୍ଷ ହେଲା ଏନ୍‌ଏସ୍‌ଜି ମଧ୍ୟ ଆସି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ତେଣୁ କୌଣସି ଅଘଟଣ ଆଶଙ୍କା କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ରହିଛିି। ଏଥିପାଇଁ ଭକ୍ତଙ୍କୁ ସଚେତନ କରିବା ଲାଗି ଚାରିଦ୍ୱାରରେ ସୂଚନା ଫଳକ ଲଗାଯାଇଛିି। ମଝିରେ ମଝିରେ ଡାକବାଜି ଯନ୍ତ୍ର ଯୋଗେ ମଧ୍ୟ ଏହା ପ୍ରଚାର କରାଯାଉଛିି। ଚାରିଦ୍ୱାରରେ ପୋଲିସ ମୋବାଇଲ ଫୋନ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛାଡୁଛିି। ଏହାସତ୍ତ୍ବେ ଭିତରକୁ ମୋବାଇଲ ଯାଉଛି କିପରି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।