ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ।
ବୁଧବାର ଥିଲା ଶ୍ରୀମନ୍ଦିରରେ କାର୍ତ୍ତିକ ନୀତିର ପ୍ରଥମ ଦିନ। ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବାପରେ ଭିତର ଶୋଧ ହୋଇ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା। ମଇଲମ ଓ ତଡ଼ପଲାଗି ବଢ଼ି ଅବକାଶ ନୀତି ସରିଥିଲା। ଏହା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ରାଇଦାମୋଦର (ରାଧା ଦାମୋଦର) ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏଥର ପଞ୍ଚକ ୫ ଦିନ ଅର୍ଥାତ୍ ନଭେମ୍ବର ୮ ତାରିଖରେ ମହାପ୍ରଭୁଙ୍କର କିଆଠିଆ ତଥା ଲକ୍ଷ୍ମୀନାରାୟଣ ବେଶ, ୯ରେ ବାମନ, ୧୦ରେ ତ୍ରିବିକ୍ରମ, ୧୧ରେ ଲକ୍ଷ୍ମୀନୃସିଂହ, ୧୨ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ଅମାବାସ୍ୟାଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ହରିହର ବେଶ ହୋଇଥାଏ। ନଭେମ୍ବର ୪ ତାରିଖ ସୋମବାର ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଠାକୁରଙ୍କର ହରିହର ବେଶ ଅନୁଷ୍ଠିତ ହେବ।