ଶ୍ରୀବନ୍ତପୁରରେ ଯୁବକଙ୍କୁ ହତ୍ୟା : ଦୁଇ ଅଭିଯୁକ୍ତ ଅଟକ

ରସୁଲପୁର,୨୧।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଶ୍ରୀବନ୍ତପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଅଚ୍ୟୁତ ସ୍ବାଇଁଙ୍କ ପୁଅ ଶ୍ୟାମସୁନ୍ଦର(୨୪)। ରବିବାର ରାତି ପ୍ରାୟ ୧୦ଟାରେ ରମେଶ ଓ ତାଙ୍କ ସ୍ତ୍ରୀ ବେଲମୁଣ୍ଡାଙ୍କୁ ଗାଳିଗୁଲଜ କରୁଥିଲେ। ଏହାକୁ ଶ୍ୟାମ ବିରୋଧ କରିଥିଲେ। ଏଥିରେ ରାଗିଯାଇ ଉକ୍ତ ଦମ୍ପତି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଶ୍ୟାମ ଗୁରୁତର ହୋଇଥିଲେ। ତାଙ୍କୁ ଯାଜପୁରରୋଡ୍‌ ସିଏଚ୍‌ସିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ କୁଆଖିଆ ଥାନାରେ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ଡାକ୍ତରଖାନାରୁ ମୃତଦେହ ଜବତ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଥାନାରେ କେସ୍‌ ନଂ. ୨୭୧/୧୯ରେ ଏକ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।