Categories: ଜାତୀୟ

ଶ୍ରୀନଗରରେ ମୁତୟନ ୨ ମହିଳା ଅଫିସର ଏବେ ଚର୍ଚ୍ଚାରେ

ଶ୍ରୀନଗର,୧୩।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଘାଟିର ବହୁ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି। ହେଲେ ଏହା ଭିତରେ ଦୁଇ ମହିଳା ଅଧିକାରୀ ଲୋକଙ୍କ ସାହାଭରସା ପାଲଟି ଚର୍ଚ୍ଚାରେ ରହିଛନ୍ତି। ୨୦୧୩ ବ୍ୟାଚର ଆଇଏଏସ ଅଫିସର ଡ. ସଇଦ ସହରିଶ ଅସଗର ଓ ୨୦୧୬ ବ୍ୟାଚର ଆଇପିଏସ୍‌ ଅଫିସର ପିକେ ନିତ୍ୟଙ୍କୁ ଜମ୍ମୁ-କଶ୍ମୀରରେ ମୁତୟନ କରାଯାଇଛି। ଅଫିସର ସଇଦ ସେଠାକାର ଲୋକଙ୍କୁ ହଜାର କିଲୋମିଟର ଦୂରରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ସହ ଫୋନରେ କଥାବାର୍ତ୍ତା ହେବା ପାଇଁ ସାହାଯ୍ୟ କରିଛନ୍ତି। ଏଥିସହ ସେ ସେମାନଙ୍କୁ ଡାକ୍ତରୀ ଚିକିତ୍ସା ମଧ୍ୟ ଯୋଗାଇ ଦେଉଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଶାସନ ତାଙ୍କୁ ସୂଚନା ନିର୍ଦ୍ଦେଶକ ଭାବେ ନିୟୋଜିତ କରିଥିଲେ। ସରକାରଙ୍କ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ତାଙ୍କର ମୁଖ୍ୟ କାମ ରହିଥିବା ବେଳେ ଗତ ୮ ଦିନ ହେଲା ସେ ଲୋକଙ୍କ ସମସ୍ୟା ବୁଝୁଛନ୍ତି। ସେହିପରି ଆଇପିଏସ୍‌ ଅଫିସର ନିତ୍ୟଙ୍କୁ ଶ୍ରୀନଗରର ରାମ ମୁନ୍ସୀ ବାଗ ଓ ଦାଗଜୀ ମଧ୍ୟରେ ନିୟୋଜିତ କରାଯାଇଛି, ଯେଉଁଠି ସେ ଭିଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ରହିଛନ୍ତି। ଅସଗର ଓ ନିତ୍ୟ ଏଭଳି ଦୁଇ ମହିଳା ଅଧିକାରୀ, ଯାହାଙ୍କୁ ଘାଟିର ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି। ଆଉ ଅନ୍ୟ ମହିଳା ଅଧିକାରୀଙ୍କୁ ଲଦାଖକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Share