ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଇଲେ ଗଜପତି ମହାରାଜା

ପୁରୀ ଅଫିସ,୧୩।୭: ନବଦିନାତ୍ମକ ଯାତ୍ରା ସାରି ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ। ଏହି ସମୟରେ ସିଂହଦ୍ୱାରରେ ରଥରେ ଥିଲେ ଦେଡଶୁର ବଡ଼ଠାକୁର। ତେଣୁ ତାଳଧ୍ୱଜ ରଥରେ ଘେର କନା ଦିଆଯିବା ପରେ ପାଲଙ୍କିରେ ଲକ୍ଷ୍ମୀ ଠାକୁରାଣୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥିଲେ। ନନ୍ଦିଘୋଷ ରଥ ଆସି ଶ୍ରୀନଅର ସମ୍ମୁଖରେ ଅଟକିଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଲକ୍ଷ୍ମୀ(ଶ୍ରଦେବୀ)ଙ୍କୁ ହାତରେ ବିଜେ କରାଇ ଆଣି ରଥାରୂଢ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଭେଟ କରାଇଥିଲେ। ପତି ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। ଏହାପରେ ପାଲିଙ୍କି ସହ ଗଜପତି ରଥକୁ ପରିକ୍ରମା କରି ରଥ ବାମ ପାର୍ଶ୍ୱରେ ପାରମ୍ପରିକ ରୀତିରେ ବନ୍ଦାପନା କରିଥିଲେ। ପରେ ଶ୍ରୀନଅର ସମ୍ମୁଖରେ ପନ୍ତୀ ଭୋଗ ସମ୍ପନ୍ନ ହୋଇଥିଲା। ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ନନ୍ଦିଘୋଷ ରଥ ଗଡିଥିଲା ସିଂହଦ୍ୱାର ଅଭିମୁଖେ। ସୂଚନାଯୋଗ୍ୟ, ବଡ଼ଦାଣ୍ଡରେ ଶ୍ରୀନଅର ସମ୍ମୁଖରେ ହେଉଥିବା ଏହି ନୀତିକୁ ଲକ୍ଷ୍ମୀ ନାରାୟଣ ଭେଟ କୁହାଯାଏ। ଏହାକୁ ଦେଖିବା ଲାଗି ଶ୍ରୀନଅର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା।