ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍‌ଟବ୍‌ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ବର୍ଷକ ପରେ ଆଇପିଏସ୍‌ ଅଧିକାରୀ ତଥା କେରଳର ଡିଜିପି (ଜେଲ) ରିଶିରାଜ ସିଂହ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏହି ବୟାନ ପରେ ଉକ୍ତ ଘଟଣା ଏକ ନୂଆ ମୋଡ଼ ନେଇଛି। କେରଳର ଏକ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଶ୍ରୀଙ୍କ ମୃତ୍ୟୁ ବାଥ୍‌ଟବ୍‌ରେ ହୋଇ ନ ଥିଲା, ବରଂ ତାଙ୍କୁ ହତ୍ୟା କରାଯାଇଥିଲା। ଶ୍ରୀଙ୍କ ମୃତହେହ ବ୍ୟବଚ୍ଛେଦ କରିଥିବା ଫରେନ୍‌ସିକ୍‌ ଏକ୍ସପର୍ଟ ଡାକ୍ତର ଉମାଦଥନ ରିଶିରାଜଙ୍କ ଘନିଷ୍ଠ ବନ୍ଧୁ। ଉମାଦଥନଙ୍କୁ ରିଶିରାଜ ଶ୍ରୀଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ତାଙ୍କର ମୃତ୍ୟୁ ହତ୍ୟା ଯୋଗୁ ହୋଇପାରେ। କାରଣ ଜଣେ ବ୍ୟକ୍ତି ଯେତେ ନିଶାସକ୍ତ ହେଲେ ବି ୧ ଫୁଟ ପାଣିରେ ମୃତ୍ୟୁବରଣ କରିପାରିବ ନାହିଁ। ଯଦି କେହି ତାଙ୍କର ଦୁଇ ଗୋଡ଼କୁ ଉପରକୁ ଟେକି ଧରି ମୁଣ୍ଡକୁ ପାଣିରେ ବୁଡ଼ାଇବ, ତେବେ ଯାଇ ତାଙ୍କର ମୃତ୍ୟୁ ସମ୍ଭବ ବୋଲି ଉମାଦଥନ କହିଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ରୀଙ୍କ ମୃତ୍ୟୁ ନିଶାସକ୍ତ ଅବସ୍ଥାରେ ବାଥ୍‌ଟବ୍‌ରେ ପଡ଼ିବାରୁ ହୋଇଥିବା ନେଇ ଦର୍ଶାଯାଇଥିଲା। ସେହି ସମୟରେ ଏହାକୁ ଦୁର୍ଘଟଣା ବୋଲି ମାନି ନିଆ ଯାଇଥିଲା। ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀରେ ଦୁବାଇକୁ ସେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହୋଇଥିଲା।

Share