ଶ୍ରୀଦେବୀଙ୍କ ଜନ୍ମଦିନରେ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ ନାୟିକା ଶ୍ରୀଦେବୀଙ୍କର ଅସମୟରେ ପରଲୋକକୁ ଆଜି ପର୍ଯ୍ୟନ୍ତ ବି ଗ୍ରହଣ କରିପାରୁ ନାହାଁନ୍ତି ପରିବାର ସଦସ୍ୟ। ମଙ୍ଗଳବାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ ବଡ ଝିଅ ଜାହ୍ନବୀ ଏକ ଭାବପୂର୍ଣ୍ଣ ମେସେଜ୍‌ ଶେୟାର୍‌ କରିଛନ୍ତି। ସେ ତାଙ୍କ ଛୋଟ ବେଳେ ମା’ଙ୍କ କୋଳରେ ଥିବା ଏକ ଫଟୋକୁ ଶେୟାର କରି ଲେଖିଛନ୍ତି, “Happy birthday, Mumma, I love you”. ଆଉ ଏହାକୁ ଦେଖିବା ପରେ ସମସ୍ତଙ୍କ ଆଖି ଓଦା ହୋଇଯାଇଛି। ଦୁବଇର ଏକ ହୋଟେଲରେ ବାଥ୍‌ଟବ୍‌ରେ ବୁଡି ଯିବାରୁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଖବର ସମସ୍ତଙ୍କୁ ଚକିତ କରିଥିଲା। ଏବେ ଝିଅ ଜାହ୍ନବୀ ବଲିଉଡ୍‌ରେ ଡେବ୍ୟୁ କରିସାରିଛନ୍ତି ସତ। ହେଲେ ମନରୁ ମା’ଙ୍କୁ କେବେବି ଭୁଲି ପାରି ନାହାଁନ୍ତି। ଶ୍ରୀଦେବୀ ୮୦ ଦଶକରେ ବଲିଉଡ୍‌ର ଜଣେ ଆଗଧାଡିର ନାୟିକା ଥିବା ବେଳେ ଅନେକ ହିଟ୍‌ ଫିଲ୍ମ ଜରିଆରେ ସେ ଦର୍ଶକଙ୍କର ନିକଟତର ହୋଇ ପାରିଥିଲେ। ଡ୍ୟାନ୍ସ ହେଉ ଅବା ଅଭିନୟ ସବୁଥିରେ ଭରପୁର ଥିଲେ ଶ୍ରୀଦେବୀ। ଚାନ୍ଦନି ଭାବେ ବଲିଉଡ୍‌ରେ ପରିଚିତ ଥିଲେ ଏହି ହାଓ୍ବା ହାଓ୍ବାଇ ଗର୍ଲ। ତାଙ୍କର ଅନେକ ସୁପରହିଟ୍‌ ସଙ୍ଗ ଆଜିବି ଶ୍ରୋତାଙ୍କ ମନରେ ବସାବାନ୍ଧି ରହିଛି। ‘ହାଓ୍ବା ହାଓ୍ବାଇ’ କୁହନ୍ତୁ ଅବା ‘ନୈନୋମେ ସପନା ସପନା ମେ ସାଜନ’ ଏସବୁ ଏବେବି ଦର୍ଶକଙ୍କ ମନରେ ଘରକରି ରହିଛି। ସେହିପରି ଫିଲ୍ମ ଲମ୍‌ହେ, ଖୁଦା ଗଓ୍ବାହ, ଚାନ୍ଦନି, ସଦ୍‌ମା, ଜୁଦାଇ, ଲାଡ୍‌ଲା ଭଳି ପାଖାପାଖି ୩ଶହ ଫିଲ୍ମରେ କାମ କରି ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ଛାଡି ଯାଇଛନ୍ତି ଶ୍ରୀଦେବା। କେବଳ ପରିବାର କାହିଁକି ଏବେ ବଲିଉଡ୍‌ ଜଗତଠାରୁ ଆରମ୍ଭ କରି ତାଙ୍କର କୋଟି କୋଟି ପ୍ରଶଂସକ ଆଜି ତାଙ୍କୁ ମନେ ପକାଉଛନ୍ତି।

Share