ଶ୍ରାବଣ ମାସ ପ୍ରଥମ ସୋମବାର: ପଞ୍ଚଲିଙ୍ଗେଶ୍ୱର ପୀଠ ଚଳଚଞ୍ଚଳ

ନୀଳଗିରି, ୧୦।୭(ପ୍ରଶାନ୍ତ ବିଶ୍ୱାଳ): ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ପଞ୍ଚଲିଙ୍ଗେଶ୍ୱ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ହର ହର ମହାଦେବ, ଓଁ ନମଃ ଶିବାୟ ଧ୍ୱନିରେ ଶୈବପୀଠ କମ୍ପିଉଠିଥିଲା ।
ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ। ବହୁ ବର୍ଷ ପୂର୍ବରୁ ଦେବଗିରି ପର୍ବତମାଳାର ଅଂଶବିଶେଷର ଏକ ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ୫ଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଆସୁଛନ୍ତି। ବହୁ ଦୂର ଦୂରାନ୍ତରୁ କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଆଣି ଚାଲି ଚାଲି ଆସିବା ସହ ୨୬୩ଟି ପାହାଚ ଚଢ଼ି ମହାଦେବଙ୍କୁ ଜଳାଭିଷେକ କରିଥିଲେ। ସେଠାରେ ପଥର ଖୋଲରେ ରହିଥିବା ବାବାଙ୍କୁ ସ୍ପର୍ଶ କରିବା ସହ କିଏ ପୂଣ୍ୟ ଅର୍ଜନ ତ ଆଉ କିଏ ନିଜର ମନସ୍କାମନା ପାଇ ପାଣିଭାର ନେଇ ଆସିଥିଲେ। କୁହାଯାଏ ଯେ ବାବାଙ୍କ ପାଖରେ ଧନୀ ଗରିବ ସମସ୍ତେ ସମାନ। ବିଶ୍ୱାସ ଅଛି, ଅନ୍ତର ମଧ୍ୟରେ ଭକ୍ତିର ସହକାରେ ବାବାଙ୍କୁ ଯିଏ ଯାହା ବି ମାଗିଛି ବାବା ପଞ୍ଚଲିଙ୍ଗେଶ୍ୱର ଅବିଳମ୍ବେ ବିପଦ ଆପଦରୁ ଉଦ୍ଧାର କରିଥାନ୍ତି। ଭିଡକୁ  ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।