ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରିଲେ ନିର୍ମାଣ ଶ୍ରମିକ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା କଲ୍ୟାଣ ବୋର୍ଡର ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ ହୋଇଛି। ନିର୍ମାଣ ଶ୍ରମିକମାନଙ୍କ ପିଲାଙ୍କ ଶିକ୍ଷା ଲାଗି ପ୍ରଚଳିତ ସହାୟତା ରାଶି କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଦିଆଯିବ ବୋଲି ହୋଇଥିବା ନୂତନ ନିର୍ଦ୍ଦେଶ ବିରୋଧରେ ଶତାଧିକ ଶ୍ରମିକ ଓଡ଼ିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ଓଡ଼ିଶା ଆହ୍ବାନରେ ଆୟୋଜିତ ଏହି ସମାବେଶରେ ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ସୁର ଜେନା, ଜୟନ୍ତ ଦାସ, ପ୍ରଣତୀ ମିଶ୍ର, କିଶୋର ଜେନା, ବିପ୍ଳବ କେଶରୀ ମହାପାତ୍ର, ଶଙ୍କର୍ଷଣ ବେହେରା, ମନୋରଞ୍ଜନ ମହାରଣା, ମହାବୀର ମିଶ୍ର, ମହେନ୍ଦ୍ର ପରିଡ଼ା, ବସନ୍ତ ସାହୁ, ବିଦ୍ୟାଧର ମହାନ୍ତି, ସୋମନାଥ ଗିରି, କରୁଣା ଦାସ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବିଭିନ୍ନ ଶ୍ରମିକ ସଂଗଠନ ଯଥା ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ଏଆଇସିସିଟିୟୁ ସମେତ ୫୦ରୁ ଅଧିକ ଶ୍ରମିକ ସଂଗଠନ ଓ ୟୁନିୟନମାନେ ଅଂଶଗ୍ରହଣ କରିଥିଲେ। ଏକ ମିଳିତ ନିର୍ମାଣ ଶ୍ରମିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶ୍ରମ କମିଶନର କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ବିକ୍ଷୋଭ ପରେ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶ୍ରମ କମିଶନର ନାରାୟଣ ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରି ୯ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଥିଲେ। ଦାବିଗୁଡ଼ିକର ଯଥାର୍ଥକୁ ଶ୍ରମ କମିଶନର ସ୍ବୀକାର କରିବା ସହ ଛାତ୍ରୀଛାତ୍ରଙ୍କ ଶିକ୍ଷାବୃତ୍ତିରୁ କୌଣସି ନିର୍ମାଣ ଶ୍ରମିକ ହିତାଧିକାରୀ ଯେଭଳି ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେବାପରେ ବିକ୍ଷୋଭରୁ ଓହରିଥିଲେ।