ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଜନ୍ମ ନେଲେଣି ୩୦ ଶିଶୁ: ନାମ ରଖାଯାଇଛି ‘କରୋନା କୁମାରୀ’, ‘ଲକ୍‌ଡାଉନ ଯାଦବ’

ନୂଆଦିଲ୍ଲୀ,୨୫।୫: କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଘରକୁ ଆସିବାକୁ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଏହି ଟ୍ରେନ୍‌ରେ ପାଖାପାଖି ୩୭ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଯାଇଥିବା କୁହାଯାଇଛି। ତେବେ ଏହି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏପର୍ଯ୍ୟନ୍ତ ପାଖାପାଖି ୩୦ ଶିଶୁ ଜନ୍ମ ନେଇଥିବା କୁହାଯାଏ। ପ୍ରଥମ କରି ମେ’ ୮ରେ ଗୁଜରାଟରୁ ବିହାର ଯାତ୍ରା କରୁଥିବା ମମତା ଯାଦବ ଟ୍ରେନ୍‌ ଭିତରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ସେତେବେଳେ ଶିଶୁଟିର ନାମ ରଖାଯାଇଥିଲା ‘ଲକ୍‌ଡାଉନ ଯାଦବ’। ସେହିପରି ଉତ୍ତର ପ୍ରଦେଶ ଯାଉଥିବା ଏକ ଟ୍ରେନ୍‌ରେ ନିକଟରେ ଏକ ଶିଶୁ କନ୍ୟା ଜନ୍ମ ନେବା ପରେ ତା’ର ନାମ ରଖାଯାଇଥିଲା ‘କରୋନା କୁମାରୀ’।

Share