ଶ୍ରମିକ ନେତା ସୌରିବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ବିଶିଷ୍ଟ ଟ୍ରେଡ୍‌ ୟୁନିୟନ ନେତା ତଥା ଲେଖକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଅସୁସ୍ଥତା କାରଣରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ୧୯୪୮ରେ ଯାଜପୁର ଜିଲାର ଖଣ୍ଡିତର ଗଁାରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୨ ମସିହାରେ ଜୀବନୀ ପୁସ୍ତକ ‘ମାନବତାର ମହାତୀର୍ଥ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨ଟି ଶିଶୁ ସାହିତ୍ୟ ସଙ୍କଳନ, ୩ଟି ଜୀବନୀ, ୪ଟି ଗଳ୍ପ ସଙ୍କଳନ, ୨ଟି ଉପନ୍ୟାସ ଓ ଗୋଟିଏ ପ୍ରବନ୍ଧ ପୁସ୍ତକ ରଚନା କରିଥିଲେ। ସେ ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନ ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ସେ କାନାରା ବ୍ୟାଙ୍କରେ ଚାକିରି କରିବା ସହ ଏଆଇଟିୟୁସିର ସର୍ବଭାରତୀୟ ସାଧାରଣ ସମ୍ପାଦକ ମଧ୍ୟ ଥିଲେ। ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଭୁବନେଶ୍ୱର ଗଜପତିନଗରରେ ରହୁଥିଲେ। ଏଆଇଟିୟୁସିର ନେତୃତ୍ୱ ନେଇ ଗରିବ, ଅବହେଳିତଙ୍କ ଦାବି ସରକାରଙ୍କ ପାଖରେ ଉପସ୍ଥାପିତ କରି ସେ ନିଜକୁ ଜଣେ ଶ୍ରମିକ ନେତା ଭାବେ ଗଢି ତୋଳିଥିଲେ। ବିଶିଷ୍ଟ ସମାଲୋଚକ ତଥା ପ୍ରଫେସର ବାଉରିବନ୍ଧୁ କରଙ୍କ ବଡ଼ ଭାଇ ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।