ଶ୍ରମିକ କାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଛତ୍ରପୁର,୯ା୯(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକ କାର୍ଡ କରିଦେବା ଓ ପଞ୍ଜୀକୃତ ଶ୍ରମିକଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ପାଇଁ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା ା ଏହାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଶ୍ରମ କାର୍ଯ୍ୟାଳୟରେ କେତେଜଣ ଦଲାଲ ସକ୍ରିୟ ହୋଇ ଏପରି କରୁଥିବା ଜଣାପଡିଛି ା ଶ୍ରମ କାର୍ଯ୍ୟାଳୟରେ ଟଙ୍କା ଆଦାୟ ହୋଇଥିବା ନେଇ ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତ ଏବଂ ଖଲ୍ଲିକୋଟ ବ୍ଲକ ଭିକାପଡା, କଇରାଶି ଓ ଖୋଜାପଲ୍ଲୀ ଗାଁର ଶ୍ରମିକମାନେ ପୂର୍ବରୁ ଛତ୍ରପୁର ଆସି ପୃଥକ ଭାବେ ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ ା ଏପରିକି ପ୍ରଶାସନ ବିରୋଧରେ ଧାରଣା ଦେବାପାଇଁ ମଧ୍ୟ ବାଧ୍ୟ କରାଯାଉଥିବା ସେମାନେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ହେବ ବୋଲି ସେ ସମୟରେ ଶ୍ରମ ଅଧିକାରୀ ସାହୁ ସୂଚନା ଦେଇଥିଲେ ା
ଜିଲାରେ ୨୭ଟି ପଞ୍ଜୀକୃତ ଶ୍ରମିକ ୟୁନିୟନ ରହିଛି ା ବର୍ତ୍ତମାନ ସୁଦ୍ଧା ଶ୍ରମିକ କାର୍ଡ ପାଇଁ ୨ ହଜାର ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ପେଣ୍ଡିଂ ରହିଥିବା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି। ୨୦୦୯ରୁ ବର୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୩ ହଜାର ଶ୍ରମିକ ଶ୍ରମ କାର୍ଯ୍ୟାଳୟରୁ କାର୍ଡ ପାଇଛନ୍ତି। ସେହିପରି ସରକାରଙ୍କ ନିର୍ଦ୍ଧାରିତ ବିଭିନ୍ନ ସହାୟତା ପାଇଁ ୫୦୦ ଶ୍ରମିକଙ୍କ ଆବେଦନପତ୍ର ପେଣ୍ଡିଂ ରହିଥିବା ଜଣାପଡିଛି। ୨୦୧୩-୧୪ରେ ୨୮୧୯ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିବା ବେଳେ ୨୦୧୪-୧୫ରେ ୩୯୨୮ ଜଣଙ୍କୁ , ୨୦୧୫-୧୬ରେ ୯୪୩୨ ଜଣଙ୍କୁ, ୨୦୧୬-୧୭ରେ ୧୮,୬୩୪ ଜଣଙ୍କୁ, ୨୦୧୭-୧୮ରେ ୫୬୭୪ ଜଣ ଓ ୨୦୧୮-୧୯ରେ ୧୬୯୫ ଶ୍ରମିକଙ୍କୁ ସହାୟତା ଦିଆଯାଇଥିବା ସୂଚନା ମିଳିଛି ା