ଶ୍ରମିକଙ୍କ ହକ୍‌ ପାଇଁ କାମ କରୁଛି, କରିଚାଲିବି :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୩(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ସୋମବାର ଶ୍ରମିକ ଏସ୍‌ଆଇ ବିଭାଗ ପକ୍ଷରୁ ଆୟୋଜିତ ଶ୍ରମିକ ସପ୍ତାହ ପାଳନ ଉଦ୍‌ଘାଟିତ ହୋଇଯାଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କ ହକ୍‌ ପାଇଁ ମୁଁ କାମ କରୁଛି, କରିଚାଲିବି ବୋଲି କହିଛନ୍ତି। ଏହାସହ ସେ କହିଛନ୍ତି , ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ଦେଶ ପାଇଁ ସେମାନଙ୍କ ତ୍ୟାଗ ଅତୁଳନୀୟ ,ସେମାନଙ୍କ ସାମାଜିକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ଲାଗି ୧୫୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସହାୟତା ଦିଆଯାଇଛି। ଏହା ସହ ୨୨ ହଜାର ଶ୍ରମିକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସୁବାସ ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।