ଶ୍ରବଣ ଶକ୍ତି ଫେରିପାଇଲେ ୨ ଝିଅ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାରା ଜୀବନ ପାଇଁ ବଧିର ହୋଇଯିବା ଆଶଙ୍କାରେ ଥିବା କୋରାପୁଟର ଦୁଇଜଣ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରିପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ ଉଭୟଙ୍କ କାନରେ ବ୍ୟୟବହୁଳ ଅତ୍ୟାଧୁନିକ ଅସ୍ତ୍ରୋପଚାର କରାଯିବା ପରେ ଏହା ସମ୍ଭବ ହୋଇପାରିଛି। ଦୁଇ ଝିଅ ଏବେ ସାଧାରଣ ପିଲାଙ୍କ ଭଳି ସବୁକିଛି ସ୍ପଷ୍ଟଭାବେ ଶୁଣି ପାରୁଛନ୍ତି। ଏମାନେ ହେଉଛନ୍ତି କୋରାପୁଟ ଜିଲା ଦାମନଯୋଡ଼ିର ବଳଭଦ୍ର ଜାନିଙ୍କ ୪ ବର୍ଷର ଝିଅ କୌଶଲ୍ୟା ଜାନି ଓ ବୋରିଗୁମା ବ୍ଲକ ଶଶାହାଣ୍ଡିର ଲିଙ୍ଗରାଜ ନାୟକଙ୍କ ୫ ବର୍ଷର ଝିଅ ସନ୍ଧ୍ୟାରାଣୀ ନାୟକ। ଉଭୟଙ୍କୁ ପ୍ରଥମେ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଡିଇଆଇସି କେନ୍ଦ୍ରରେ ଚିହ୍ନଟ କରାଯାଇ ପରେ ଭୁବନେଶ୍ୱର ଏମ୍‌ସକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଏହି କ୍ରମରେ ଉଭୟଙ୍କ କୋକି୍ଲୟର୍‌(Cochlear) ପ୍ରତିରୋପଣ ସଫଳତାର ସହ କରାଯାଇପାରିଛି। ଏ ବାବଦକୁ ଜଣକ ପିଛା ୫.୨ ଲକ୍ଷ ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିଶନ ପାଣ୍ଠିରୁ ପ୍ରଦାନ କରାଯାଇଛି। ଉକ୍ତ ଦୁଇ ଶିଶୁଙ୍କୁ କୋରାପୁଟ ଡିଇଆଇସିକୁ ନିଆଯିବା ସହିତ ସେଠାରେ ସେମାନେ କିଭଳି କଥାବାର୍ତ୍ତା କରିବେ ସେଥିଲାଗି ‘ସ୍ପିଚ୍‌ ଥେରାପି’ ଦିଆଯିବ। ଏହାସହ ସେମାନଙ୍କର ଥଇଥାନ ଲାଗି ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି।