ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଗାଏବ୍‌ ଅଭିଯୋଗ: ସତ୍ୟତା ନ ଥିବା କହିଲା ପୋଲିସ

ଉମରକୋଟ,୧୦ା୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ସାନଭରଣ୍ଡି ଗ୍ରାମ ଶ୍ମଶାନରେ ପୋତାଯାଇଥିବା ମୃତଦେହ ବାହାର କରି ନେଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ସତ୍ୟତା ନ ଥିବା ପୋଲିସ ପ୍ରକାଶ କରିଛି।

ସୂଚନା ପ୍ରକାରେ, ଗାଁର ଜଣେ ୧୬ ବର୍ଷୀୟା ନାବାଳିକା ସୋମବାର ଘରେ ଆତ୍ମହତ୍ୟା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ କେସ୍‌ ନଂ. ୧୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ବର୍ଷା ଯୋଗୁ ପରିବାର ଲୋକେ ନାବାଳିକାଙ୍କ ମୃତଦେହ ଦାହ ନ କରି ଶ୍ମଶାନରେ ପୋତିଥିଲେ। ତେବେ ମଙ୍ଗଳବାର ସକାଳେ କେହି ଦୁର୍ବୃତ୍ତ ମାଟିତଳୁ ମୃତଦେହ ବାହାରକରି ନେଇଯାଇଥିବା ସ୍ଥାନୀୟ ଲୋକେ କହିଥିଲେ। ମୃତଦେହ ପୋତାଯାଇଥିବା ସ୍ଥାନରୁ କିଛି ମାଟି ଖୋଳାଯାଇଥିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ଶ୍ମଶାନରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ହିମାଞ୍ଚଳ ମାଝିଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ତେବେ ମୃତଦେହ ପୂର୍ବଭଳି ମାଟିତଳେ ରହିଥିବା ଆଇଆଇସି ଉମେଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗୁଣିଗାରେଡି ସନ୍ଦେହରେ ଏପରି ଅଭିଯୋଗ କରାଯାଇଥିବା ସେ କହିଛନ୍ତି।