Categories: ରାଜ୍ୟ

ଶୋଭାଯାତ୍ରାରେ ସୀମିତ ଲୋକକଳା ଉତ୍ସବ

ଜଗତ୍‌ସିଂହପୁର ଅଫିସ,୧୫ା୬: ଲୋକ କଳା ଓ ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଜୁନ ୧୪ରେ ଲୋକକଳା ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଚଳିତବର୍ଷ ପ୍ରଥମ କରି ଜିଲାସ୍ତରୀୟ ଲୋକ କଳା ଉତ୍ସବ ପାଳିତ ହୋଇଛି। କିନ୍ତୁ ଦୁଃଖର କଥା ହେଲା ଏହା ଉପରଠାଉରିଆ ହୋଇଛି। କେବଳ ଏକ ଶୋଭାଯାତ୍ରାରେ ଉତ୍ସବ ସୀମିତ ରହିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ଆଧୁନିକତାର ଛାପରେ ଲୋକକଳା ଓ ଲୋକ ସଙ୍ଗୀତ ତାର ସତ୍ତା ହଜାଇବାକୁ ବସିଲାଣି। ଏହା ଉପରେ ନିର୍ଭରଶୀଳ କଳାକାରମାନେ ଜୀବିକା ହରାଇ ଦୟନୀୟ ଜୀବନ ବିତାଉଛନ୍ତି। ଦିନ ଥିଲା ଲୋକକଳା ଓ ଲୋକ ସଙ୍ଗୀତ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରୁଥିଲା। ପରସ୍ପର ମଧ୍ୟରେ ଦୂରତ୍ୱ କମାଉଥିଲା। କିନ୍ତୁ ଆଧୁନିକ ସମାଜରେ ଏହା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ସମାଜରେ ସମ୍ପର୍କର ସେତୁ ସୃଷ୍ଟି କରୁଥିବା ଏହି ଲୋକକଳା, ଲୋକ ସଙ୍ଗୀତକୁ ପୁନର୍ଜୀବିତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। ଉଦ୍ଦେଶ୍ୟ ହେଲା ଜିଲାସ୍ତରରେ ଉତ୍ସବ ପାଳନ କରି କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା। ଉତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ସମିତି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟୟ କରିପାରିବ ବୋଲି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ରାଶିରେ ଶୋଭାଯାତ୍ରା ସହ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା କଥା। କିନ୍ତୁ ଶୁକ୍ରବାର ଜିଲାସ୍ତରୀୟ ଲୋକକଳା ଉତ୍ସବ କେବଳ ଶୋଭାଯାତ୍ରାରେ ସରିଯାଇଛି। ହାତ ଗଣତି ସଂକୀର୍ତ୍ତନ ଦଳ, ଘୋଡା ନାଚ ଦଳ, ପାଲା ଦଳ ଓ କାଠି ଲଉଡି ଦଳକୁ ନେଇ ଯେଭଳି ଶୋଭାଯାତ୍ରା କରାଗଲା, ତାହା ପ୍ରଭାବଶୂନ୍ୟ
ମନେ ହେଉଛି। ଏହି ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ନିକଟରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାକୁ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଏଥିରେ ଜିଲା ସଂସ୍କୃତି ଅଧିକାରୀ ରଞ୍ଜନ ଦାସ, ଭୂଅର୍ଜନ ଅଧିକାରୀ ବିବୁଧ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ଯିଏ ଯୁଆଡେ ଚାଲି ଯାଇଥିଲେ। ଏ ବାବଦରେ ବହୁ କମ ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ସରକାର ଯଦି ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଇଛନ୍ତି, ତେବେ ଜିଲା ସଂସ୍କୃତି ସମିତି କାହିଁକି ଉପରଠାଉରିଆ ଭାବେ ଉତ୍ସବ ପାଳନ କଲା। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଦାସଙ୍କୁ ପଚାରିବାରୁ ସେ କହିଲେ ଗତ ୭/୮ ତାରିଖରେ ଉତ୍ସବ ପାଳନ ପାଇଁ ବିଭାଗରୁ ଚିଠି ଆସିଥିଲା। ବିଳମ୍ବରେ ଚିଠି ଆସିବାରୁ ଏତେ କମ ସମୟ ମଧ୍ୟରେ ବଡ଼ ଆୟୋଜନ କରିବା ସମ୍ଭବ ହେଲାନି। ତଥାପି ଶୋଭାଯାତ୍ରାରେ ପାଖାପାଖି ୯୦ ଲୋକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଥିବା ବେଳେ ୭୦ ଜଣ ଥିଲେ। ସେ ଏକାଧିକ ବିଭାଗ ଦାୟିତ୍ୱରେ ଥିବାରୁ ସବୁ କାମ ଠିକ ଭାବେ କରିବା ସହଜ ହେଉନି।