Categories: ଜାତୀୟ

ଶୋପିଆନରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟରେ ଗତି କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ନିଜ ମନ୍ଦ ବୁଦ୍ଧିରୁ ବାଦ୍‌ ପଡ଼ୁନାହାନ୍ତି। ଶୁକ୍ରବାର ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଶୋପିଆନ ଜିଲା ଦାଇରୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସେନାଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇ ପ୍ରଥମେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହା ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ଟଳିପଡ଼ିଥିଲେ। ଅପରପକ୍ଷେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆରପିଏଫ୍‌ ଯବାନ ମିଳିତଭାବେ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

Share