ଶେଷ ସୋମବାର: ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ

ନୟାଗଡ଼ ଅଫିସ,୧୩ା୮: ଶ୍ରାବଣ ମାସର ଶେଷ ସୋମବାରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଶରଶକୁଳ ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ ଜଳଲାଗି କରିଛନ୍ତି। ମନସ୍କାମନା ପୂରଣ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କାଉଡିଆମାନେ ଏଠାରେ ସମବେତ ହୋଇଥିଲେ। ଏଥିଲାଗି ମନ୍ଦିର ସେବାୟତ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଥିଲା। ରବିବାର ରାତ୍ର ୨ ଘଟିକାରେ ମନ୍ଦିର ଖୋଲାଯାଇ ଠାକୁରଙ୍କ ପହଡ଼ ଭଙ୍ଗାଯାଇଥିଲା। ପରେ ଠାକୁରଙ୍କ ଅବକାଶ ନୀତି ଓ ମହାସ୍ନାନ କରାଯାଇ ସେବାୟତମାନେ ପ୍ରଥମେ ଲଡ଼ୁବାବାଙ୍କ ଉପରେ ଜଳ ଲାଗି କରିଥିଲେ। ଛୋଟ ପିଲା ଓ ମହିଳାଙ୍କ ପରେ ପୁରୁଷ ଭକ୍ତମାନେ ସକାଳ ୮ଟା ପର୍ଯ୍ୟନ୍ତ ଜଳଲାଗି କରିଥିଲେ। ୮ଟାରେ ଜଳଲାଗି ବନ୍ଦ କରାଯାଇଥିଲା। ଏହା ପରେ ଠାକୁରଙ୍କ ବଲ୍ଲଭନୀତି, ସକାଳ ଧୂପ, ସେବାୟତଙ୍କ ଚୂଡ଼ାଭୋଗ, କ୍ଷୀରାଭିଷେକ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ପୁନର୍ବାର ଜଳଲାଗି ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏହା ପରେ ଠାକୁରଙ୍କ ମଧ୍ୟାହ୍ନ ଧୂପ କରାଯାଇ ପହଡ଼ ପଡ଼ିଥିଲା। ସମସ୍ତ ସେବାୟତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଶରଣକୁଳ ପୋଲିସ ଏହାକୁ ପରିଚାଳନା କରିଥିଲେ। କଟକ କାଜିବଜାର ରୋଭର୍ସ ଷ୍ଟ୍ରିଟ କାଉଡିଆମାନେ କଟକ ମହାନଦୀରୁ ପାଣି ଆଣି ଲଡ଼ୁବାବାଙ୍କୁ ଲାଗି କରିବା ପରେ ସାଙ୍ଗରେ ଆଣିଥିବା ଏକ ତ୍ରିଶୂଳ ମନ୍ଦିରକୁ ପ୍ରଦାନ କରିଥିଲେ। ରବିବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ବାବା ଅମରେଶ୍ୱର ବୋଲବମ୍‌ ସଂଘ, ବକ୍ସିବଜାର କଟକର କଳାକାରଙ୍କ ଦ୍ୱାରା ଲଡ଼ୁବାବାଙ୍କ ହାତୀଦ୍ୱାର ସାମ୍‌ନାରେ ଭଜନ ପରିବେଷଣ କରାଯାଇଥିଲା।