ଶେରଗଡ଼ ଛକରେ ଚୋରି: ଶଟର ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ

ରେମୁଣା,୧।୧୧(ଡି.ଏନ.ଏ.)-ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଛକରେ ଲୁଟେରାମାନେ ଆତଙ୍କ ଖେଳାଇଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀମାନେ ଗୋଟିଏ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ଗତ ମାସରେ ଦିନ ଦ୍ୱିପ୍ରହର ସମୟରେ ଜଣେ ଦୋକାନୀଙ୍କୁ ଗୁଳି ମାରି ୫ଜଣ ଯୁବକ ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ଏଯାଏ ସେମାନଙ୍କ ଟେର ପାଇପାରିନି। ଏହାପରେ ଏକାଧିକ ଛିନ୍‌ତାଇ ଘଟଣାରେ ମଧ୍ୟ ଅପରାଧୀଙ୍କୁ ପୋଲିସ ଖୋଜିପାରିନି। ଗୁରୁବାର ରାତିରେ ରାମଚନ୍ଦ୍ର ପାତ୍ର ନାମକ ଜଣେ ଗ୍ରୋଶରୀ ଦୋକାନୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଶୁକ୍ରବାର ସକାଳେ ସେ ଦୋକାନକୁ ଆସିବା ପରେ ଶଟର ଭଙ୍ଗାଯାଇଥିବା ଦେଖିଥିଲେ। ଦୁର୍ବୃତ୍ତମାନେ ଦୋକାନରେ କଳାକନା ବୁଲାଇ ଦେଇଥିବା ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ଫାଣ୍ଡି ଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଦୋକାନ ଥିଲେ ମଧ୍ୟ ଏହି ଘଟଣା ଘଟିଛି।