ଶେରଗଡ଼ରେ ଲକ୍‌ଡାଉନ୍‌ ପ୍ରଭାବ: ପନିପରିବା ଦରବୃଦ୍ଧି, ଆଳୁ କହୁଛି ଛୁଉଁନା

ଶେରଗଡ଼,୨୬।୩(ଡି.ଏନ୍‌.ଏ.): ଶେରଗଡ଼ ବଜାରରେ କରୋନାକୁ ନେଇ କରାଯାଇଥିବା ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବୁଧବାରଠାରୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ବେଳେ ଅଞ୍ଚଳରେ କେବଳ ରାଶନ ଓ ପନିପରିବା ଦୋକାନ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି। ସେହି ସମୟ ମଧ୍ୟରେ ଶେରଗଡ଼ ବଜାରକୁ ପରିବା ମଧ୍ୟ ମୋଟେ ଆସୁନାହିଁ। ଯଦିଓ ଆସୁଛି ବ୍ୟବସାୟୀମାନେ ପ୍ରତ୍ୟେକ ପରିବା ଦାମ ୧୦ଟଙ୍କା ଲେଖାଏ ବୃଦ୍ଧି କରିଛନ୍ତି।

ଶେରଗଡ଼ ହେଉଛି ୫୦ଖଣ୍ଡ ଗ୍ରାମର ନିତିଦିନିଆ ବଜାର। ଏହି ବଜାରକୁ କୁଜୁରା, ପାଟପୁର, ଭୁଷୁଣ୍ଡା ସମେତ ବହୁ ଗ୍ରାମରୁ ବ୍ୟବସାୟୀ ମାନେ ପରିବା ଆଣିଥାନ୍ତି। ପରନ୍ତୁ ବିଶେଷକରି ଜୁରା ଅଞ୍ଚଳର ବହୁ ଉଠା ବ୍ୟବସାୟୀମାନେ ବହୁଳ ପରିମାଣରେ ପରିବା ଆଣିଥାନ୍ତି। ଫଳରେ ଶେରଗଡ଼ରେ ପରିବା ପ୍ରଚୁର ପରିମାଣରେ ଓ ସୁଲଭ ମୂଲ୍ୟରେ ମିଳୁଥିଲା। କରୋନା ପ୍ରଭାବରେ ଉକ୍ତ ଉଠା ବ୍ୟବସାୟୀମାନେ ପରିବା ଆଣୁ ନାହାନ୍ତି। ସେମାନଙ୍କୁ କୁଆଡେ ନିଜ ଗ୍ରାମପକ୍ଷରୁ ନ ବାହାରିବାକୁ ବାରଣ କରାଯାଇଛି। ଏଣୁ ସେମାନେ ଶେରଗଡ଼ ବଜାରକୁ ନ ଆସିବା ଫଳରେ ପୋଟଳ, ଭେଣ୍ଡି, ଅଳଡି, କଖାରୁ, ଲାଉ, ପଣସ,ଟମାଟୋ ସମେତ ଅନ୍ୟ ସମସ୍ତ ପରିବା କିଲୋ ପିଛା ୧୦ଟଙ୍କା ବୃଦ୍ଧି ହୋଇଛି। କରୋନା କଷାଘାତ ପରିବା ଯନ୍ତ୍ରଣା ଲୋକଙ୍କ ମୁଣ୍ଡବ୍ୟଥା ବଢ଼େଇ ଦେଇଛି। ଏ ଦିଗରେ ସ୍ଥାନୀୟ ପ୍ରଶାସନକୁ ବହୁବାର ଜଣା କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହୁଁ ବୋଲି ସାଧାରଣରେ ଦାବି ହେଉଛି। ସେହିପରି ଆଳୁ ଦର ମଧ୍ୟ ଦ୍ୱିଗୁଣିତ ହୋଇ ଯାଇଛି। ମଙ୍ଗଳବାର ଆଳୁ ୫୦ କିଗ୍ରାକୁ ୮୦୦ଟଙ୍କା ଥିବାବେଳେ ଗୁରୁବାର ବସ୍ତା ପ୍ରତି ୨୦୦ଟଙ୍କା ବଢି ୧୦୦୦ ଟଙ୍କାରେ ମିଳୁଛି। ଏଦିଗରେ ସ୍ଥାନୀୟ ଯୋଗାଣ ବିଭାଗ ଦୃଷ୍ଟି ଦେବା ସହ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଶେରଗଡ଼ ବ୍ଲକବାସୀ ପକ୍ଷରୁ ଦାବି ହେଉଛି।