ଶେନ୍‌ଜେନ୍‌ରେ ବିଲେଇ, କୁକୁର ଖାଇବାକୁ ବାରଣ

ଶେନ୍‌ଜେନ୍‌,୩ା୪: ଚାଇନାର ଦକ୍ଷିଣାଞ୍ଚଳ ସହର ତଥା ଟେକ୍ନୋଲୋଜିର ହବ୍‌ କୁହାଯାଉଥିବା ଶେନ୍‌ଜେନ୍‌ରେ ବିଲେଇ ଓ କୁକୁରଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା ମେ ୧ରୁ ଏହା କାର୍ଯ୍ୟକାରୀ ହେବ। ଚାଇନାର ଉହାନ ସହରରୁ କରୋନା ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭୂତାଣୁରେ ଇତିମଧ୍ୟରେ ଚାଇନାରେ ୩ ହଜାର ୩୧୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସାରା ବିଶ୍ୱରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଖିବୁଜିଲେଣି। ସାଢ଼େ ୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ବନ୍ୟଜନ୍ତୁ ଓ ଅନ୍ୟାନ୍ୟ ପ୍ରାଣୀ କାରବାରକୁ କଡ଼ାକଡ଼ି ଭାବେ ରୋକିବା ପାଇଁ ଶେନ୍‌ଜେନ୍‌ରେ ଏଭଳି ପଦକ୍ଷେପ ନିଆଯାଇଛି। ବହୁ ବୈଜ୍ଞାନିକ ସନ୍ଦେହ କରୁଛନ୍ତି ଯେ, ବନ୍ୟପ୍ରାଣୀଙ୍କଠାରୁ ମଣିଷକୁ କରୋନା ଭାଇରସ୍‌ ବ୍ୟାପିଛି। ପ୍ରଥମ କରି ଉହାନ ସହରରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ ବିଶାଳ ସାମୁଦ୍ରିକ, ବନ୍ୟ ଓ ଗୃହପାଳିତ ପ୍ରାଣୀଙ୍କ ବଜାର ରହିଛି। ସେଠାରୁ ଲୋକେ କୁକୁର, ବିଲେଇ, ସାପ, ବାଦୁଡ଼ି, ବିଭିନ୍ନ ପ୍ରକାର ପୋକଯୋକ, ପକ୍ଷୀ କିଣି ଖାଇଥାନ୍ତି। ପ୍ରାଚୀନ ସମୟରୁ ବହୁ ଦେଶରେ ଅନ୍ୟ ପ୍ରାଣୀ ଅପେକ୍ଷା କୁକୁର ଓ ବିଲେଇ ସହ ମଣିଷର ଘନିଷ୍ଠ ସମ୍ପର୍କ ରହିଛି। ହଂକଂ, ତାଇଓ୍ବାନ ଓ ବିକଶିତ ଦେଶରେ କୁକୁର, ବିଲେଇ ଭଳି ପୋଷା ପ୍ରାଣୀଙ୍କୁ ମାରି ଖାଇବାକୁ ନିଷେଧ କରାଯାଇଛି। ଗତ ଫେବୃୟାରୀ ଶେଷ ଭାଗରେ ଚାଇନାର ଉପର ବ୍ୟବସ୍ଥାପକ ସଭା ପକ୍ଷରୁ ବନ୍ୟପ୍ରାଣୀ ବାଣିଜ୍ୟ ଓ ଖାଇବା ନିଷିଦ୍ଧ କରାଯାଇଛି। ଏହି ନିଷେଧଜ୍ଞାକୁ ଦେଶର ବିଭିନ୍ନ ରାଜ୍ୟ ଓ ସହର ପ୍ରଶାସନ ପକ୍ଷରୁ ଲାଗୁ କରିବାକୁ ପଦକ୍ଷେପ ନିଆଯାଉଛି। ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ସ୍ବରୂପ ଶେନ୍‌ଜେନ୍‌ ସହରରେ ବିଲେଇ ଓ କୁକୁର ମାରି ଖାଇବା ଉପରେ ରୋକ ଲଗାଯାଇଛି। କେବଳ ଚାଇନା ନୁହେଁ, ଏସିଆର ବିଭିନ୍ନ ଅଞ୍ଚଳରେ ଲୋକେ କୁକୁର ମାଂସ ଖାଇଥାନ୍ତି। ଶେନ୍‌ଜେନ୍‌ସ୍ଥିତ ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ରର ଜଣେ ଅଧିକାରୀ ଲିୟୁ ଜିଆନପିଙ୍ଗ୍‌ କହିଛନ୍ତି ଯେ, ଲୋକଙ୍କ ପାଇଁ ଉପଲବ୍ଧ କୁକୁଡ଼ା, ପଶୁସମ୍ପଦ ଓ ସାମୁଦ୍ରିକ ଖାଦ୍ୟ ଯଥେଷ୍ଟ। କୁକୁଡ଼ା ଓ ପଶୁସମ୍ପଦ ଅପେକ୍ଷା ବନ୍ୟପ୍ରାଣୀ ଅଧିକ ପୁଷ୍ଟିକର ବୋଲି କୌଣସି ପ୍ରମାଣ ନ ଥିବା ଲିୟୁ କହିଛନ୍ତି।

Share