Categories: ଖେଳ

ଶୁଭମନଙ୍କ ଦ୍ୱିଶତକ

ଖ୍ରୀଷ୍ଟଚର୍ଚ୍ଚ,୨।୨(ପି.ଟି.)- ଭାରତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ଶୁବମନ ଗିଲ ୪ ଦିନିଆ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି। ତାଙ୍କର ଅପରାଜିତ ୨୦୪ ରନ୍‌ର ଇନିଂସ ଯୋଗୁ ଇଣ୍ଡିଆ ଏ’ ମ୍ୟାଚ୍‌କୁ ଡ୍ର’ କରିବାରେ ସଫଳ ହୋଇଛି। ୧୨୭/୨ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଏ’ ଦିନ ସାରା ଭଲ ବ୍ୟାଟିଂ କରି ଦିବସ ଶେଷ ସୁଦ୍ଧା ୩ ଉଇକେଟ କ୍ଷତିରେ ୪୪୮ ରନ୍‌ କରିଥିଲା। ଗିଲ ଦ୍ୱିତୀୟ ଥର ପାଇଁ ବିଦେଶରେ ଦ୍ୱିଶତକ ହାସଲ କରିଛନ୍ତି। ଗତବର୍ଷ ଓ୍ବେଷ୍ଟଇଣ୍ଡିଜରେ ପ୍ରଥମ ଦ୍ୱିଶତକ କରିଥିଲେ। ଗିଲଙ୍କ ଇନିଂସରେ ଥିଲା ୨୨ ଚୌକା ଓ ୪ ଛକା। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କ ପାଞ୍ଚଲ ୧୧୫ ଓ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ ଅପରାଜିତ ୧୦୦ ରନ୍‌ କରିଥିଲେ। ସେ ଗିଲଙ୍କ ସହ ଚତୁର୍ଥ ଉଇକେଟ ପାଇଁ ୨୨୨ ରନ୍‌ର ଭାଗୀଦାରି କରିଥିଲେ। ପୂର୍ବରୁ ପ୍ରଥମ ଇନିଂସରେ ଭାରତ ୨୧୬ ରନରେ ସୀମିତ ରହିଥିଲା। ଜବାବରେ ନ୍ୟୁଜିଲାଣ୍ଡ ଏ’ ୭ ଉଇକେଟ କ୍ଷତିରେ ୫୭୨ ରନ୍‌ କରି ପାଳି ଘୋଷଣା କରିଥିଲା। ଏଭଳି ଦ୍ୱିଶତକୀୟ ଇନିଂସ ପରେ ଗିଲ ଜାତୀୟ ଟେଷ୍ଟ ଦଳରେ ସ୍ଥାନ ପାଇପାରନ୍ତି। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା କମ୍‌। କାରଣ ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଓପନିଂ ଯୋଡ଼ି ଏବେ ଭଲ ଫର୍ମରେ ଅଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ୨୧ ତାରିଖରେ ଭାରତୀୟ ଦଳ ଘୋଷିତ ହେବ।

Share