ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ ହାସ୍ୟାଭିନେତ୍ରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଜଣେ ବ୍ୟକ୍ତି ଜୀବନରେ କିପରି କଠୋର ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼େ ତାହା ଏହି ଫିଲ୍ମର ବିଷୟବସ୍ତୁ। ନୀତିନ କାକ୍କରଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମର ମିଳିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଜାକି ଭଗନାନୀ, ସୈଫ୍‌ଙ୍କ ବ୍ଲାକ ନାଇଟ୍‌ ଫିଲ୍ମସ ଏବଂ ଜୟ ଶଓ୍ବୋକ୍ରମାଣିଙ୍କ ନର୍ଦର୍ନ ଲାଇଟ୍‌ ଫିଲ୍ମସ। ଏଥିରେ ପିତା ଓ କନ୍ୟା (ସୈଫ ଓ ଆଲାଇଆ) ଚରିତ୍ରକୁ କେନ୍ଦ୍ର କରି କାହାଣୀ ଆଗକୁ ବଢ଼ିଛି। ପିତା-କନ୍ୟା ସମ୍ପର୍କ ଅନନ୍ୟ। କିନ୍ତୁ ବର୍ତ୍ତମାନର ଯୁଗ ଏବଂ ସମସାମୟିକ ପରିସ୍ଥିତିକୁ ବିଚାର କଲେ ‘ଜଓ୍ବାନି ଜାନେମନ୍‌’ରେ ଦୁହିଁଙ୍କର ଅଭିନୟ ନିଶ୍ଚିତ ଭାବରେ ଯେତିକି ସ୍ବତନ୍ତ୍ର ସେତିକି ଅନନ୍ୟ କୁହାଯାଇପାରେ ବୋଲି ସହ-ପ୍ରଯୋଜକ ଶଓ୍ବୋକ୍ରମାଣି ପ୍ରକାଶ କରିଛନ୍ତି।
ସୈଫ ଓ ଆଲାଇଆଙ୍କୁ ନିକଟରେ ମାଞ୍ଚେଷ୍ଟରରେ ହେଉଥିବା ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ‘ଦି ସାକ୍ରିଡ୍‌ ଗେମ୍‌’ର ଅଭିନେତା ସୈଫଙ୍କୁ ଏହି ଫିଲ୍ମରେ ଦାଢ଼ିଯୁକ୍ତ ମୁହଁରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ନଭେମ୍ବର ୨୯ରେ ରିଲିଜ ହେବାର ଅଛି।

Share